fbpx

ରଥଯାତ୍ରାର ସୁପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ପାଳନ ଉପରେ ଗୁରୁତ୍ୱଆରୋପ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମନ୍ୱୟ କମିଟି ବୈଠକରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଠିକ୍‍ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପାଳନକରାଯିବା ଉପରେ ଗୁରୁତ୍ୱଆରୋପ କରିଛନ୍ତି । ସେହିଭଳି ପୁରୀକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ଓ ଅନ୍ୟ ସୁବିଧା ପାଇଁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚଳିତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ । ଘୋଷଯାତ୍ରା ପାଇଁ ସେ ଜନସାଧାରଣ, ସେବାୟତ, ପୁଲିସ୍‍ ପ୍ରଶାସନ ଆଦି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ରଥଯାତ୍ରା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି । ଚଳିତ ଥର ଏହି ସମୟରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଥିବାରୁ ଟ୍ରାଫିକ୍‍ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପୁରୀ ପାଇଁ ସ୍ୱତନ୍ତ୍ର ଟ୍ରେନ୍‍ ଓ ବସ୍‍ ଚଳାଚଳର ବ୍ୟବସ୍ଥା ରହିଛି ।

ସେହିଭଳି ପୋଲିସ୍‍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ଭାବେ ସଂପନ୍ନ କରିବା ଓଡ଼ିଶା ପୋଲିସ୍‍ ପାଇଁ ବଡ଼ ଆହ୍ୱାନ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏଥର ୧୬୦ ପ୍ଲାଟୁନ୍‍ ଫୋର୍ସ ମୁତୟନ ହେବେ ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆସନ୍ତା ୨୦ ତାରିଖରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.