ରାଜଧାନୀରୁ ପିଲା ଚୋରି ମାମଲା: ଏଯାବତ ପୋଲିସ ହାତ ଖାଲି

ରାଜଧାନୀ ଛାତି ଉପରୁ ପିଲା ଚୋରି, ଏପର୍ଯ୍ୟନ୍ତ ପାଇନି ପୋଲିସ

ଭୁବନେଶ୍ୱର: ରାଜଧାନୀର ଚାଞ୍ଚଲ୍ୟକର ଘଟଣା। ରାଜଧାନୀ ଛାତି ଉପରୁ ପିଲା ଚୋରି ମାମଲାରେ ଏଯାବତ ମିଳିନି ସଫଳତା। ଏକାଧିକ ଟିମ୍ ଗଠନ କରିଛୁ ଏବଂ ଖୁବ ଶୀଘ୍ର ରେସ୍କ୍ୟୁ କରିବୁ ବୋଲି କହିଛନ୍ତି ଡିସିପି।

ସେ ଆହୁରି କହିଛନ୍ତି ଯେ, ଅପହରଣ ମାମଲା ରୁଜୁ କରି ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ରବିବାର ଭୋର ୩ଟାରେ ଦୃଷ୍ଟିବାଧିତ ମାଆ କୋଳରୁ ପିଲା ଚୋରି ହୋଇଛି। ରାମ ମନ୍ଦିର ସାମ୍ନାରୁ ଦୁର୍ବୃତ୍ତ ଦେଢ଼ ବର୍ଷର ପୁଅକୁ ନେଇ ଯାଇଛନ୍ତି। ଖାରବେଳ ନଗର ଥାନାରେ ଏତଲା ପରେ ଜାରି ରହିଛି ତନାଘନା।

ଅନ୍ଧୁଣୀ ମା’ କୋଳରୁ ଦେଢ଼ ବର୍ଷର ଶିଶୁପୁତ୍ରକୁ ଦୁର୍ବୃତ୍ତ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଆଉ ପିଲାକୁ ଚୋରି କରିବାର ଅଭିନବ ଉପାୟ ମଧ୍ୟ ଆପଣାଇଥିଲା ପିଲା ଚୋର।

ଯେପରି କେହି ତା ଉପରେ ସନ୍ଦେହ ନ କରିବେ, ସେଥିପାଇଁ ପ୍ରଥମେ ମା’ ଓ ପିଲାକୁ ଜୁସ୍ ପିଇବାକୁ ଦେଇଥିଲା ଦୁର୍ବୃତ୍ତ। ପରେ ପିଲାକୁ ମୋବାଇଲ ଦେଖାଇଥିଲା, ଆଉ ଖେଳାଇବା ବାହାନାରେ ମା କୋଳରୁ ପିଲାକୁ ନେଇଗଲା ପିଲା ଚୋର।

ସେପଟେ ଯେହେତୁ ମା ଜଣକ ଅନ୍ଧ କିଛି ଦେଖିପାରୁନାହାନ୍ତି। ଏହାର ଭରପୁର ଫାଇଦା ଉଠାଇଥିଲା ଦୁର୍ବୃତ୍ତ। ଏହି ଘଟଣାଟି ରାଜଧାନୀ ଭୁବନେଶ୍ୱରରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।