fbpx

୭୧ ପ୍ରତିଶତ ଶିଶୁଙ୍କଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି, କୋଭିଡର ତୃତୀୟ ଲହର ପ୍ରଭାବ ପକାଇ ପାରିବନି: PGIMER ନିର୍ଦ୍ଦେଶକ

ନୂଆଦିଲ୍ଲୀ: ନିକଟରେ ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ ଗାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର) ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଉକ୍ତ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ୭୧ ପ୍ରତିଶତ ଶିଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି । ଫଳରେ ଶିଶୁମାନେ କୋଭିଡର ତୃତୀୟ ଲହରରେ ବିଶେଷ ଭାବେ ପ୍ରଭାବିତ ହେବେ ନାହିଁ ବୋଲି ପିଜିଆଇଏମଇଆର ନିର୍ଦ୍ଦେଶକ ଡା. ଜଗତ ରାମ ସୂଚନା ଦେଇଛନ୍ତି ।

ଡା. ରାମ କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ଦେଶ କୋଭିଡ-୧୯ ମହାମାରୀର ତୃତୀୟ ଲହରର ପ୍ରାରମ୍ଭିକ ସ୍ତରରେ ରହିଛି । ଏହି ପରିପ୍ରେକ୍ଷୀରେ ୨୭୦୦ ଶିଶୁଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡ଼ିଥିଲା ଯେ, ଉକ୍ତ ଶିଶୁଙ୍କ ମଧ୍ୟରୁ ୭୧ ପ୍ରତିଶତ ଶିଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇସାରିଥିବାରୁ ସେମାନେ ତୃତୀୟ ଲହରରେ ପ୍ରଭାବିତ ହେବେ ନାହିଁ । ଏହି ସର୍ଭେ ପାଇଁ ଚଣ୍ଡିଗଡ଼ର ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ବସ୍ତିବାସିନ୍ଦାଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଥିଲା । ପ୍ରାୟ ୬୯ରୁ ୭୩ ପ୍ରତିଶତ ଶିଶୁଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଥିଲା । ଅର୍ଥାତ ଆଭରେଜ୍ ୭୧ ପ୍ରତିଶତ ଶିଶୁଙ୍କ ଠାରେ ଆଣ୍ଟିବଡି ସୃଷ୍ଟି ହୋଇସାରିଛି । ଶିଶୁଙ୍କ ପାଇଁ କୌଣସି ଟିକା ଉପଲବ୍ଧ ନଥିଲେ ହେଁ କୋଭିଡ୍-୧୯ ସଂକ୍ରମଣ ହେତୁ ଏହି ଆଣ୍ଟିବଡି ସୃଷ୍ଟି ହୋଇଛି । ତେଣୁ ତୃତୀୟ ଲହରର ପ୍ରଭାବ ଶିଶୁଙ୍କ ଉପରେ ପଡ଼ିନପାରେ । ସେ ପୁଣି କହିଥିଲେ ଯେ, ମହାରାଷ୍ଟ୍ର ଓ ଦିଲ୍ଲୀରେ ୫୦ରୁ ୭୫ ପ୍ରତିଶତ ଶିଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି । କୋଭିଡ୍ ସଂକ୍ରମଣର ଶୀର୍ଷ ସଂକ୍ରମଣ ବିଳମ୍ବ ହୋଇପାରେ । ତେଣୁ ଲୋକମାନେ କୋଭିଡର ସମସ୍ତ ଆଚରଣ ବିଧି ଅନୁସରଣ କରିବା ସହ ଟିକାକରଣ କରିବା ଆବଶ୍ୟକ ବୋଲି ଡା. ରାମ ସୂଚନା ଦେଇଥିଲେ ।

Get real time updates directly on you device, subscribe now.