fbpx

‘Good Morning’ ନୁହେଁ ଏଥର ‘ଜୟ ହିନ୍ଦ୍’ କହିବେ ପିଲା… ସ୍କୁଲକୁ BJP ସରକାରଙ୍କ ବଡ଼ ଆଦେଶ

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରୁ ସମସ୍ତ ସ୍କୁଲରେ ହେବ ଏକ ବଡ଼ ପରିବର୍ତ୍ତନ । ସ୍କୁଲରୁ ହଟିବ ଇଂରାଜୀ ଭାଷାର ପ୍ରୟୋଗ । ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ୟବହାର ହେବନି ଇଂରାଜୀ ଭାଷା । ଏଣିକି ‘ଗୁଡ୍ ମର୍ଣ୍ଣିଙ୍ଗ’ କହିବା ପରିବର୍ତ୍ତେ ‘ଜୟ ହିନ୍ଦ୍’ କହିବେ ସ୍କୁଲର ଛାତ୍ରଛାତ୍ରୀ । ଏ ନେଇ ବିଜେପି ସରକାରଙ୍କ ତରଫରୁ ଏକ ଆଦେଶ ଜାରି କରାଯାଇଛି । ଏହି ପ୍ରଥାରେ ପରିବର୍ତ୍ତନ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହରିୟାଣାର ବିଜେପି ସରକାର । ସ୍କୁଲ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଛାତ୍ରଛାତ୍ରୀମାନଙ୍କ ମନରେ ଦେଶଭକ୍ତି ଏବଂ ରାଷ୍ଟ୍ରୀୟ ଗୌରବର ଭାବନା ସୃଷ୍ଟି କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ହରିୟାଣା ବିଜେପି ସରକାର । ଏଥିରେ ପିଲାମାନଙ୍କ ଶୁଭେଚ୍ଛା ଜଣାଇବାର ଭାଷା ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ସ୍କୁଲରେ ଗୁଡ୍ ମର୍ଣ୍ଣିଙ୍ଗ କହିବା ପରିବର୍ତ୍ତେ ପିଲାଏ ‘ଜୟ ହିନ୍ଦ୍’ କହି ଶୁଭେଚ୍ଛା ଜଣାଇବେ । ଇଂରାଜୀ ଭାଷାକୁ ହଟାଇ ଭାରତୀୟ ଭାଷାର ପ୍ରୟୋଗ କରିବା ସହ ଦେଶଭକ୍ତି ଶିକ୍ଷା ଦେବା ଏହି ନିର୍ଦ୍ଦେଶର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ବୋଷ୍ ‘ଜୟ ହିନ୍ଦ୍’ ସ୍ଲୋଗାନ୍ ଦେଇଥିଲେ ଏବଂ ଏହାପରେ ସଶସତ୍ର ବଳ ଦ୍ୱାରା ଏହାକୁ ସଲମୀ ଭାବରେ ସ୍ୱୀକାର କରାଯାଇଛି । ତେଣୁ ସମସ୍ତ ଜିଲ୍ଲା ସ୍କୁଲ ଶିକ୍ଷାଧିକାରୀ, ଜିଲ୍ଲା ପ୍ରାଥମିକ ଶିକ୍ଷାଧିକାରୀ, ଖଣ୍ଡ ଶିକ୍ଷାଧିକାରୀ, ଖଣ୍ଡ ପାଥମିକ ଶିକ୍ଷାଧିକାରୀ, ପ୍ରଧାନ ଆଚାର୍ଯ୍ୟ ଏବଂ ପ୍ରଧାନ ଅଧ୍ୟାପକଙ୍କୁ ଏହି ପତ୍ର ପଠାଇଛନ୍ତି ।

ଏହି ଆଦେଶରେ କୁହାଯାଇଛି ଯେ, ଏଣିକି ସ୍କୁଲରେ ‘ଗୁଡ ମର୍ଣ୍ଣିଂ’ ବଦଳରେ ‘ଜୟ ହିନ୍ଦ୍’ କହିବେ ଛାତ୍ରଛାତ୍ରୀ । ଏହାଦ୍ୱାରା ପ୍ରତ୍ୟେକ ଦିନ ପିଲାମାନଙ୍କୁ ରାଷ୍ଟ୍ରୀୟ ଏକତା ଭାବନା ପ୍ରତି ପ୍ରେରଣା ମିଳିପାରିବ ଏବଂ ଦେଶର ସମୃଦ୍ଧ ଇତିହାସ ପ୍ରତି ସମ୍ମାନ ପ୍ରଦାନ ହୋଇପାରିବ । ଦେଶଭକ୍ତିପୂର୍ଣ୍ଣ ଅଭିବାଦନ ‘ଜୟ ହିନ୍ଦ୍’ ପିଲାମାନଙ୍କୁ ଦେଶର ସ୍ୱାଧୀନତା ପାଇଁ ହୋଇଥିବା ବଳିଦାନକୁ ସମ୍ମାନ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ମିଳପାରିବ ବୋଲି ଏଥିରେ କୁହାଯାଇଛି । ଜୟ ହିନ୍ଦ୍ ଅଞ୍ଚଳ, ଭାଷା ଏବଂ ସାଂସ୍କୃତିକ ମତଭେଦରୁ ସମ୍ପୂର୍ଣ୍ଣ ଭିନ୍ନ, ତେଣୁ ଏହା ବିଭିନ୍ନ ପୃଷ୍ଠଭୂମିର ପିଲାମାନଙ୍କ ମଧ୍ୟରେ ଏକତା ବୃଦ୍ଧି କରିବ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି ।

Get real time updates directly on you device, subscribe now.