fbpx

ଭାରତ ବିରୋଧରେ ଚୀନ ରଚିଥିଲା ଷଡ଼ଯନ୍ତ୍ର! ନୀରଜ-କିଶୋର ପଣ୍ଡ କରିଦେଲେ ସବୁ ଚକ୍ରାନ୍ତ, କ’ଣ ଘଟିଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତ ଇତିହାସ ରଚିଛି । ଗତ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ସର୍ବାଧିକ ୭୦ଟି ପଦକ ଜିତିଥିବା ବେଳେ ଆଜି ଏକାଦଶ ଦିନରେ ଭାରତ ତାହାକୁ ଅତିକ୍ରମ କରି ପଦକ ସଂଖ୍ୟା ୮୧ରେ ପହଞ୍ଚାଇ ପାରିଛି । ସେହିପରି ପୂର୍ବରୁ ଗୋଟିଏ ସଂସ୍କରଣରେ ୧୬ଟି ସ୍ୱର୍ଣ୍ଣ ପଦକ ରେକର୍ଡ ରହିଥିବା ବେଳେ ଏବେ ଭାରତ ୧୮ଟି ସ୍ୱର୍ଣ୍ଣ ଜିତିସାରିଲାଣି ।

ତେବେ ଆଜି ଜାଭେଲିନ ଥ୍ରୋ ଇଭେଣ୍ଟ ସମୟରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଇଭେଣ୍ଟ ଆରମ୍ଭରୁ କିଛି ବିବାଦ ଦେଖାଦେଇଥିଲା । ମାତ୍ର ଭାରତୀୟ କ୍ରୀଡ଼ାବିତମାନେ ତା’ର ଉଚିତ ଜବାବ ଖେଳରେ ଦେଇଥିଲେ । ନୀରଜ ଚୋପ୍ରା ୮୮.୮୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିବା ବେଳେ ୮୭.୫୪ ମିଟର ଥ୍ରୋ କରି କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଭାରତ ଗୋଟିଏ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା ।

ନୀରଜ ନିଜର ପ୍ରଥମ ଥ୍ରୋ ୮୫ ମିଟର ଫୋପାଡ଼ି ଥିବା ବେଳେ ତାହାକୁ ଏସିଆନ ଗେମ୍ସର ୱେବସାଇଟରେ ଅପଡେଟ୍ କରାଯାଇ ନଥିଲା । ଏଥିସହିତ କିଛି ଟେକନିକ ଖରାପ କାରଣରୁ ଇଭେଣ୍ଟକୁ କିଛି ସମୟ ପାଇଁ ରୋକି ଦିଆଯାଇଥିଲା । ମାପ ସମ୍ବନ୍ଧୀୟ କିଛି ସମସ୍ୟା ରହିଥିବା ନେଇ ପରେ ସ୍ପଷ୍ଟ କରାଯାଇଥିଲା । ଟେକନିକ ତ୍ରୁଟି କାରଣରୁ ନୀରଜଙ୍କ ଥ୍ରୋକୁ ମାନ୍ୟତା ମିଳିନଥିଲା । ସାଧାରଣ ଭାବେ ପ୍ରତି କ୍ରୀଡ଼ା ପ୍ରତିଯୋଗିତାରେ ନୀରଜ ୬ ଥର ଥ୍ରୋ କରୁଥିବା ବେଳେ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସେ ୭ ଥର ଥ୍ରୋ କରିଥିବା ନୀରଜ କହିଛନ୍ତି । ସେହିପରି ୧୦୦ ମିଟର ହର୍ଡଲ୍ସ ଫାଇନାଲରେ ଜ୍ୟୋତି ୟାରରାଜୀ ମଧ୍ୟ କିଛି ସମସ୍ୟାର ସାମ୍ନା କରିଥିଲେ । ଚୀନ ଭାରତୀୟ ଆଥଲେଟଙ୍କୁ ଟାର୍ଗେଟ କରୁଥିବା ନେଇ ଭାରତୀୟ ଆଥଲେଟିକ୍ସ ଫେରେସନର ଉପସଭାପତି ଅଞ୍ଜୁ ବବି ଜର୍ଜ କହିଛନ୍ତି ।

Get real time updates directly on you device, subscribe now.