ଆମେରିକାରେ ଚୀନ୍ ବୈଜ୍ଞାନିକ ଗିରଫ, ଚୀନ୍ର ଉହାନ୍ ଲ୍ୟାବ ସହିତ ଅଛି ସମ୍ପର୍କ
ଆମେରିକାରେ ଚୀନ୍ ବୈଜ୍ଞାନିକ ଗିରଫ । ବିନା ଅନୁମତିରେ ଜୈବିକ ସାମଗ୍ରୀ ଚାଲାଣ ଅଭିଯୋଗରେ ବାନ୍ଧିଲା ପୁଲିସ ।
ୱାଶିଂଟନ: ଆମେରିକାରେ ପୁଣି ଥରେ ଜଣେ ଚୀନ୍ ବୈଜ୍ଞାନିକଙ୍କୁ ଗିରଫ କରାଯାଇଛି। ଜୈବିକ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ଚୀନର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି ଆମେରିକା । ବୈଜ୍ଞାନିକ ଚୀନ୍ରୁ ଆମେରିକାର ଡେଟ୍ରାଇଟ୍ ବିମାନବନ୍ଦରରେ ପହଞ୍ଚିଥିଲେ ଏବଂ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ପୂର୍ବରୁ ମଧ୍ୟ ଦୁଇ ଜଣ ଚୀନ୍ ବୈଜ୍ଞାନିକଙ୍କୁ ଗିରଫ କରିଥିଲା ଆମେରିକା ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। କିନ୍ତୁ ଏଥର ଗିରଫ ହୋଇଥିବା ବୈଜ୍ଞାନିକଙ୍କର ଚୀନ୍ର ଉହାନ୍ ଲ୍ୟାବ ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରାଯାଉଛି ।
ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଚୀନ୍ ବୈଜ୍ଞାନିକଙ୍କ ଉପରେ ଜୈବିକ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗ ଆସିଛି। ଚୀନର ଉହାନର ହୁଆଜୋଙ୍ଗ ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ର ଚେଙ୍ଗଜୁଆନ୍ ହାନଙ୍କ ନାଁରେ ବିନା ଅନୁମତିରେ ଜୈବିକ ସାମଗ୍ରୀ ପଠାଇବା ଓ ମିଥ୍ୟା ବିବରଣୀ ଦେବାର ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ଡେଟ୍ରଇଟ୍ ବିମାନ ବନ୍ଦରରେ ଗିରଫ କରାଯାଇଛି ।
ଆମେରିକୀୟ ଓକିଲ ଜେରୋମ ଗୋରଗନ୍ ଜୁନିଅର କହିଛନ୍ତି ଯେ, ଏହି ଚୋରା ଚାଲାଣ ଯୋଗୁଁ ଆମେରିକା ବିପଦରେ ଅଛି। ଏପଟେ FBI କହିଛି ଯେ, ଗତ ବର୍ଷ ଏବଂ ଏହି ବର୍ଷର ଆରମ୍ଭରେ, ତାଙ୍କର ଏକ ପୁସ୍ତକ ଭିତରେ ଏକ ଲଫାପା ମିଳିଥିଲା, ଯାହାକୁ ଖୋଲିବା ପରେ ସେଥିରେ ଜୈବିକ ସାମଗ୍ରୀ ଥିଲା।
ଏଫ୍ବିଆଇ ଅନୁଯାୟୀ, ହାନ୍ 4ଟି ପ୍ୟାକେଜ ଚୀନ୍ରୁ ଆଣିଥିଲେ, ଯେଉଁଥିରେ ଜୈବିକ ସାମଗ୍ରୀ ଲୁଚାଯାଇଥିଲା, ଗୋଟିଏ ପ୍ୟାକେଜ୍ ବହି ଭିତରେ ରହିଥିଲା । ଏହା ପୂର୍ବରୁ ଅନ୍ତର୍ଜାତୀୟ ସୁରକ୍ଷା ନିୟମ ଅନୁଯାୟୀ ଅନୁମତି ଆବଶ୍ୟକ ଥିଲା। ହାନଙ୍କ ଫୋନ୍ ଡାଟା ମଧ୍ୟ ଆମେରିକା ଆସିବାର 3 ଦିନ ପୂର୍ବରୁ ଡିଲିଟ୍ କରାଯାଇଥିବା ଜଣାପଡ଼ିଛି । ମିଚିଗାନରେ ଗତ ସପ୍ତାହେ ମଧ୍ୟରେ ଏହା ହେଉଛି ତୃତୀୟ ମାମଲା । ପୂର୍ବରୁ ଦୁଇ ଚୀନ୍ ବୈଜ୍ଞାନିକ, ୟୁନକିଙ୍ଗ୍ ଜିଆନ୍ ଓ ଜୁନୟୋଙ୍ଗ୍ ଲିଉ, ଏକ ବିଷାକ୍ତ ଫଙ୍ଗସ୍ ତସ୍କରୀ ଅଭିଯୋଗରେ ଗିରଫ ହୋଇଥିଲେ । ଆମେରିକାର ଅଧିକାରୀମାନେ ଏହାକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି କହିଛନ୍ତି ଏବଂ କୃଷି କ୍ଷେତ୍ରରେ ଆତଙ୍କବାଦୀ ବୋଲି କହିଛନ୍ତି ।
ଚୀନ୍ ବୈଜ୍ଞାନିକଙ୍କ ଉହାନ୍ ସହିତ ସମ୍ପର୍କ
ଆମେରିକାରେ ଗିରଫ ହୋଇଥିବା ଚୀନ୍ ବୈଜ୍ଞାନିକଙ୍କର ଉହାନ୍ ସହିତ ସିଧାସଳଖ ସମ୍ପର୍କ ଥିବା ଜଣାପଡ଼ିଛି। ସେ ଉହାନ୍ ବିଶ୍ୱବିଦ୍ୟାଳୟରୁ ପିଏଚଡି କରୁଛନ୍ତି। ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରାଇଥିବା କୋରୋନା ଭାଇରସ ଚୀନର ଉହାନ୍ ଲ୍ୟାବରୁ ହିଁ ଆରମ୍ଭ ହୋଇଥିଲା। କୋରୋନା ଭାଇରସ ମହାମାରୀ ପରେ ଉହାନ୍ ଏବେ ଚର୍ଚ୍ଚାରେ ରହିଛି ।