fbpx

ତାକତ୍ ଦେଖାଇଲେ କେଜ୍ରିୱାଲ୍, ଏକଜିଟ୍ ପୋଲ୍ ହେଲା ଏକଜାଟ୍ ପୋଲ୍

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ନେଇ ବିଭିନ୍ନ ଗଣମାଧ୍ୟମ ଓ ଏଜେନ୍ସୀ ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ ଆକଳନ ସତ ପ୍ରମାଣିତ ହୋଇଛି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି(ଆପ୍) ପୁନର୍ବାର ଦିଲ୍ଲୀ ଦଖଲ କରିବାକୁ ଯାଉଛି । ଦିଲ୍ଲୀରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ୩୬ ସଂଖ୍ୟାର ବହୁ ଉପରେ ରହିଛି ଆପ୍ । ବିଧାନସଭାର ୭୦ ଆସନର ଭୋଟଗଣତିରେ ବର୍ତ୍ତମାନ ସୁଦ୍ଧା(ଦିନ୧୦.୫୫) ଆପ୍ ୫୩ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୭ ଆସନରେ ଆଗୁଆ ରହିଛି । କଂଗ୍ରେସ ଖାତା ଖୋଲିପାରିନାହିଁ ।

ଆପ୍ ତୃତୀୟ ଥର ପାଇଁ ସରକାର ଗଢ଼ିବା ନିଶ୍ଚିତ ବୋଲି ଏକଜିଟ୍ ପୋଲରେ ଆକଳନ କରାଯାଇଥିଲା । ହେଲେ ବିଜେପି ଏହାକୁ ଉପହାସ କରିଥିଲା । ନିର୍ଦ୍ଦିଷ୍ଟ ଭାବେ ୪୮ ଆସନ ପାଇ ବିଜେପି ସରକାର ଗଢ଼ିବ ବୋଲି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଏକ ଭିଡ଼ିଓ ବାର୍ତ୍ତା ଜାରି କରିଥିଲେ । ଦଳର ଅନ୍ୟ ବଡ଼ବଡ଼ିଆ ନେତାମାନେ ମଧ୍ୟ ଦିଲ୍ଲୀ ଦଖଲ କରିବାର ଦମ୍ଭ ଦେଖାଇଥିଲେ । ଆଜି ଭୋଟଗଣତି ଆରମ୍ଭ ପର୍ଯ୍ୟନ୍ତ ଅଧିକାଂଶ ନେତାଙ୍କ ପାଟିରେ ବାଟୁଳି ବାଜୁ ନ ଥିଲା । ହେଲେ ଆଜିର ଭୋଟଗଣତି ଫଳାଫଳ ସେମାନଙ୍କ ମୁହଁ ବଙ୍କା କରିଦେଇଛି । ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ମିଛୁଆ ଆଖ୍ୟା ଦେଇଥିବା ବିଜେପି ନେତାମାନେ ଦିଲ୍ଲୀବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଓଲଟି ନିଜକୁ ମିଛୁଆ ପ୍ରମାଣିତ କରିଛନ୍ତି ।

ତେବେ ସଂଖ୍ୟା ଦୃଷ୍ଟିରୁ ବିଜେପି ଆଖିଦୃଶିଆ ସଫଳତା ପାଇଛି । ୨୦୧୫ ରେ ଦଳ ମାତ୍ର ୩ ଟି ଆସନ ପାଇଥିଲା । ଏଥର ଆସନ ସଂଖ୍ୟା ୫ ଗୁଣା ପାର୍ କରିବାକୁ ଯାଉଛି । ଅନ୍ୟପକ୍ଷରେ କଂଗ୍ରେସର ଅବସ୍ଥାରେ କୌଣସି ସୁଧାର ଆସିପାରିଲା ନାହିଁ । ୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀକୁ କବଜା କରିଥିବା କଂଗ୍ରେସ ଧୂଳିସାତ୍ ହୋଇଛି । ୨୦୧୫ରେ ଦଳ ଖାତା ଖୋଲି ନ ଥିଲା ବେଳେ ଏଥର ତାହାର ପୁନରାବୃତ୍ତି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ରେ ପ୍ରଥମ ଥର ପାଇଁ ଆପ୍ ୨୮ ଆସନ ପାଇ କଂଗ୍ରେସ ସମର୍ଥନରେ ଦିଲ୍ଲୀରେ ସରକାର ଗଢ଼ିଥିଲା । ୨୦୧୫ରେ ଆପ୍ ଏକାକୀ ୬୭ ଟି ଆସନ ପାଇ ଦ୍ୱିତୀୟ ଥର ସରକାର ଗଢ଼ିଥିଲା । ଏଥର ଅରବିନ୍ଦ କେଜ୍ରିୱାଲ୍ ଙ୍କୁ ହଟାଇବା ପାଇଁ ବିଜେପି ସବୁପ୍ରକାର କଳ,ବଳ,କୌଶଳ ଲଗାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ନିର୍ବାଚନ ପରିଚାଳନାକୁ ପ୍ରତ୍ୟକ୍ଷ ତଦାରଖ କରୁଥିଲେ । ୨୮ ଜଣ କେନ୍ଦ୍ରମନ୍ତ୍ରୀ, ୬ ପୂର୍ବତନ ମୁଖ୍ୟମନ୍ତ୍ରୀ, ୪ ମୁଖ୍ୟମନ୍ତ୍ରୀ ଏବଂ ସହସ୍ରାଧିକ ଦଳୀୟ ସାଂସଦ, କର୍ମକର୍ତ୍ତା ଦିଲ୍ଲୀରେ ଡେରା ପକାଇ ନିର୍ବାଚନ ପ୍ରଚାର କରିଥିଲେ । କେଜ୍ରିୱାଲ୍ ଙ୍କ ଦିଲ୍ଲୀ ବିକାଶ ନାରା ସହ ଲଢ଼େଇ ହୋଇଥିଲା ବିଜେପିର ଜାତୀୟତାବାଦ ନାରା । ତେବେ କେଜ୍ରିୱାଲ୍ ଙ୍କ ଉପରେ ଦିଲ୍ଲୀବାସୀ ସେମାନଙ୍କ ଆସ୍ଥା ଅତୁଟ ରଖିଛନ୍ତି । ତେବେ ୧୦ ମାସ ତଳେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି ୭ ଟି ଯାକ ଲୋକସଭା ଆସନ ଦଖଲ କରିଥିଲା । ମାତ୍ର ବିଧାନସଭାରେ ଦଳର ସ୍ଥିତି ଦୋହଲିଯାଇଛି ।

Get real time updates directly on you device, subscribe now.