ଭଉଣୀ ଶିବାନୀଙ୍କ ସାହସ ଆଗରେ ହାର ମାନିଲା ବାତ୍ୟା ‘ଦାନା’: ପ୍ରେରଣାଦାୟୀ ଆଶା କର୍ମୀଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ଗତକାଲି ରାତି ୧୨ଟା ସମୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିମି ରହିଥିଲା । ତେବେ ଏହା ମଧ୍ୟରେ ବାତ୍ୟାର ପ୍ରଭାବ ହ୍ରାସ ପାଇଥିବା ବେଳେ ବାତ୍ୟା ସମୟରେ ଜଣେ ଆଶା ଦିଦି ଏବେ ସଭିଙ୍କ ପାଇଁ ପ୍ରଶଂସାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏଭଳି ଜଣେ ସାହସୀ ଆଶା ଦିଦିଙ୍କ ଆଗରେ ସତେ ଯେମିତି ବାତ୍ୟା ‘ଦାନା’ ହାର ମାନି ଯାଇଛି ।

ବାତ୍ୟା ସମୟରେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀ ମଣ୍ଡଳଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚ ପ୍ରଶଂସା କରିଛନ୍ତି । ଏଥିସହିତ ଭଉଣୀ ଶିବାନୀଙ୍କୁ ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଆଶା ଦିଦି ଶିବାନୀଙ୍କ ସହ ଫୋନରେ କଥାହୋଇଥିଲେ । ବାତ୍ୟା ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିବାନୀ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ୱ ନେଇଥିଲେ । ଏହି ଦାୟିତ୍ୱ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି । ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ । ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସା କରିଥିଲେ । ଏଥିସହିତ ରାଜ୍ୟ ସରକାର ଓ ସେ ତାଙ୍କ ଉପରେ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଶିବାନୀଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଓ ଟେଲିଫୋନ ଯୋଗାଇ ଦେବାକୁ ରାଜନଗର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜଗନ୍ନାଥ ଶିବାନୀଙ୍କୁ ସବୁବେଳେ ଭଲରେ ରଖନ୍ତୁ ବୋଲି କହିଥିଲେ । ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।