fbpx

ଉତ୍ତରାଖଣ୍ଡରେ ବିଜେପିର ବମ୍ପର ବିଜୟ, ହେଲେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ସହ ବିଜୟ ହାସଲ କରିବାକୁ ଯାଉଛି। ଉତ୍ତରାଖଣ୍ଡ ଇତିହାସରେ ପ୍ରଥମ ଥର କୌଣସି ଦଳ କ୍ରମାଗତ ଦ୍ଵିତୀୟ ଥର ବିଜୟୀ ହୋଇ ସରକାର ଗଢିବାକୁ ଯାଉଛି। କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଖଟିମା ବିଧାନସଭା ଆସନରୁ ଧାମିଙ୍କୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଛି। କଂଗ୍ରେସ ପ୍ରାର୍ଥୀ ଭୁବନ କାପଡି ଛଅ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ଧାମିଙ୍କୁ ପରାସ୍ତ କରିଛନ୍ତି। ଏହା ପରେ ପୁଣି ଥରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଛି।

ଭୁବନ ଚନ୍ଦ କାପଡି ଯୁବ ନେତା ଏବଂ ଉତ୍ତରାଖଣ୍ଡରେ କଂଗ୍ରେସର କାର‌୍ୟ୍ୟକାରୀ ଅଧ୍ୟକ୍ଷ। ଯୁବ ବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ଭୁବନ ଚନ୍ଦ କାପଡି ଉତ୍ତରାଖଣ୍ଡର ଯୁବ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ରହି ସାରିଛନ୍ତି। ସେ ଉତ୍ତରାଖଣ୍ଡ ରାଜ୍ୟ କଂଗ୍ରେସରେ ସାଧାରଣ ସଂପାଦକ ପଦରେ ମଧ୍ୟ ରହି ସାରିଛନ୍ତି। ସେ ୨୦୧୭ ବିଧାନସଭା ନିର୍ବାଚନରେ ପୁଷ୍କର ସିଂହ ଧାମିଙ୍କୁ କଡା ଟକ୍କର ଦେଇ ମାତ୍ର ୨୭୦୯ ଖଣ୍ଡ ଭୋଟରେ ହାରିଥିଲେ। ମାତ୍ର ଏଥର ସେ ଧାମିଙ୍କୁ ଛଅ ହଜାରରୁ ଅଧିକ ଭୋଟ୍ ମାତ୍ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜର ଛଅ ମାସର ମୁଖ୍ୟମନ୍ତ୍ରୀ କାର‌୍ୟ୍ୟକାଳରେ ଖଟିମାରେ ପୂର୍ବରୁ ପ୍ରସ୍ତାବିତ କାମ ଦ୍ରୁତ ଗତିରେ ସଂପନ୍ନ କରିଥିଲେ। ଏଥିସହ ନୂତନ କାମର ମଧ୍ୟ ପ୍ରସ୍ତାବ ଦେଇଥିଲେ। ମାତ୍ର ତାଙ୍କର ଏହି ସବୁ କାମ ୨୦୨୨ ନିର୍ବାଚନରେ କାମରେ ଆସିନାହିଁ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ଏ ପର‌୍ୟ୍ୟନ୍ତ ଚାରି ଥର ବିଧାନସଭା ନିର୍ବାଚନ ହୋଇଛି। ଏଥିରେ କଂଗ୍ରେସ ଏବଂ ବିଜେପି ପାଳି କରି କ୍ଷମତାସୀନ ହୋଇଛନ୍ତି। ମାତ୍ର ଏଥର ବିଜେପି କ୍ରମାଗତ ଦ୍ଵିତୀୟ ଥର କ୍ଷମତାସୀନ ହେବାକୁ ଯାଉଛି। ୨୦୦୨ ପ୍ରଥମ ନିର୍ବାଚନରେ କଂଗ୍ରେସ ଜିତିଥିବା ବେଳେ ୨୦୦୭ରେ ବିଜେପି ବିଜୟୀ ହୋଇ ସରକାର ଗଠନ କରିଥିଲା। ଏହା ପରେ ୨୦୧୨ରେ ପୁଣି କଂଗ୍ରେସ କ୍ଷମତାକୁ ଆସିଥିବା ବେଳେ ୨୦୧୭ରେ ବିଜେପି ସରକାର ଗଢିଥିଲା। ୨୦୨୨ରେ ବିଜେପି ସରକାର ଗଢିବାକୁ ଯାଉଛି।

ଧାମିଙ୍କ ପରାଜୟର ମୁଖ୍ୟ କାରଣ

କିଷାନ ଆନ୍ଦୋଳନ

ଜାତୀୟ ସମୀକରଣରେ ଫେଲ୍

ନିର୍ବାଚନରେ ନାମାଙ୍କନ ପରେ କେବଳ ଚାରି ଥର ଖଟିମା ଆସିଥିଲେ

ଅନ୍ୟ ବିଧାନସଭା ଆସନ ଉପରେ ଫୋକସ୍

ରାଜ୍ୟସାରା ପ୍ରଚାରରେ ବ୍ୟସ୍ତ

Get real time updates directly on you device, subscribe now.