ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ପୂର୍ବରୁ ଚାରି ଧାମକୁ ଗଡ଼ିବ ଲଗଜୁରୀ ବସ୍ । ନୂଆ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ । ପୁରୀ ଶ୍ରୀଜଗନ୍ନାଥ ଧାମରୁ ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ବସ୍ ସେବା ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ବସ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଏଥିପାତୀ ଶୀତତାପ ନିୟନ୍ତ୍ରିତ ଅତି ବିଳାସପୂର୍ଣ୍ଣ ବସରେ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ଧାମ ବୁଲିପାରିବେ ତୀର୍ଥଯାତ୍ରୀ । ଆସନ୍ତା ୧୨ରେ ପୁରୀରୁ ଅଯୋଧ୍ୟା ଓ ତିରୁପତିକୁ ବସସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ପ୍ରଥମ ଥର ପାଇଁ ୪ ଧାମକୁ ସିଧାସଳଖ ବସ୍ ସେବା ଆରମ୍ଭ କରିବା କରିବା ପାଇଁ ଏହା ମଧ୍ୟରେ ୮୦ଟି ଭଲଭୋ ବସ୍ କ୍ରୟ କରିଛନ୍ତି ରାଜ୍ୟ ସରକାର । ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଉତ୍ତରାଖଣ୍ଡର ବଦ୍ରିନାଥ, ଗୁଜରାଟର ଦ୍ୱାରିକାନାଥ ଓ ତାମିଲନାଡ଼ୁର ରାମେଶ୍ୱରକୁ ଏହିସବୁ ବସ ଚଳାଇବାକୁ ଯୋଜନା ରହିଛି । ଆସନ୍ତା ୧୨ରେ ପୁରୀର ମାଳତିପାଟପୁର ବସଷ୍ଟାଣ୍ଡରୁ ଭର୍ଚୁଆଲ ମୋଡ଼ରେ ଏହି ଚାରିଧାମ ବସସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଉଭୟ ସ୍ଲିପର ଓ ସେମି ସ୍ଲିପର ବର୍ଗର ବସରେ ଜିପିଏସ, ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି । ଏଥିସହିତ ଭେହିକିଲ ଲୋକେସନ ଟ୍ରାକିଂ ଡିଭାଇସ (ଭିଏଲଟିଡି) ସିଷ୍ଟମ ବି ରହିଛି । ଫଳରେ ଯଦି କୌଣସି ସମୟରେ କିଛି ଯାତ୍ରୀଙ୍କର ଅସୁବିଧା ହୁଏ, ତେବେ ତୁରନ୍ତ ଏହା ରାଜ୍ୟ ଓଏସଆରଟିସି ହେଡ୍ ଅଫିସ ଓ କଣ୍ଟ୍ରୋଲ ରୁମକୁ ମେସେଜ୍ ଯିବ ।