fbpx

ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ: ସିଏମ୍‌ସି ଡେପୁଟି ମେୟର ପଦବୀ ସମେତ ୧୦୫ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ହେବ ମତଦାନ, ସଂନ୍ଧ୍ୟାରେ ରେଜଲ୍ଟ

Advertisement

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌):  ଆଜି କଟକ ମହାନଗର ନିଗମ ଡେପୁଟି ମେୟର ପଦବୀ ସମେତ ରାଜ୍ୟର ୧୦୫ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଏନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନକମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଥିଲେ।

ସେ କହିଛନ୍ତି ଯେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ପୌର ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହେବ । ଦିନ ୧୧ଟା ପର୍ଯ୍ୟନ୍ତ ଏହା ଚାଲିବ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ଓ ଏହାପରେ ଦିନ ଗୋଟାଏ ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ଧାର୍ଯ୍ୟକରାଯାଇଛି । ଅପରାହ୍ଣ ସାଢ଼େ ଗୋଟାଏରୁ ୩ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ । ମତଦାନ ପରେ ସେହିଦିନ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ସେହିଭଳି କଟକ ମହାନଗର ନିଗମ ଡେପୁଟି ମେୟର ପଦବୀ ପାଇଁ ନିର୍ବାଚନ ହେବ ।

ଅନ୍ୟପକ୍ଷରେ ୮ ତାରିଖରେ ବ୍ରହ୍ମପୁର ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡେପୁଟି ମେୟର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ମହାନଗର ନିଗମ ଗୁଡ଼ିକରେ ନିର୍ଦ୍ଧାରିତ ଦିନ ୧୦ଟାରୁ ୧୧ଟା ନାମାଙ୍କନପତ୍ର ଦାଖଲ। ୧୧ଟାରୁ ୧୨ଟା ନାମାଙ୍କନ ଯାଞ୍ଚ ଏବଂ ଦିନ ଗୋଟାଏ ଯାଏଁ ପ୍ରାର୍ଥିତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ମତଦାନ ସରିବା ପରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଅନ୍ୟପକ୍ଷରେ ନିୟମ ଅନୁସାରେ ଦଳୀୟ କାଉନ୍‌ସିଲରମାନେ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ । ଉପାଧ୍ୟକ୍ଷ ପଦବୀ ପାଇଁ ଦୁଇରୁ ଏକାଧିକ ପ୍ରାର୍ଥୀ ଥିଲେ ଏକାଧିକ ଥର ନିର୍ବାଚନ ଅନୁଷ୍ଠିତ ହେବ । ୩ ଜଣ ପ୍ରାର୍ଥୀ ରହିଥିଲେ ଭୋଟ କରାଯାଇ ସର୍ବଶେଷ ପ୍ରାର୍ଥୀଙ୍କୁ ବାଦ୍‌ ଦିଆଯିବ । ଅନ୍ୟ ଦୁଇଜଣଙ୍କ ଭୋଟ ସମାନ ରହିଲେ ଲଟେରୀ ଜରିଆରେ ଫଇସଲା କରାଯିବ । ଏପଟେ ଦଳବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ନିଜ ପ୍ରତିନିଧି ଦେଇପାରିବେ । ବିଜେଡି ପକ୍ଷରୁ ଜିଲ୍ଲା ସଭାପତିଙ୍କ ପାଖକୁ ଡେପୁଟି ମେୟର ତାଲିକା ଆସିଥିବାବେଳେ ଏନେଇ ସବୁ ଦଳୀୟ କର୍ପୋରେଟରଙ୍କ ପାଇଁ ହୁଇପ୍‌ ଜାରି କରାଯାଇଛି । ହୁଇପ୍‌ ନମାନିଲେ କର୍ପୋରେଟର ପଦ ହରାଇବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.