fbpx

Coaching Classରୁ ଆରମ୍ଭ ହେଲା ପ୍ରେମ: କିନ୍ତୁ ଝିଅର ବିବାହ ପରେ ପ୍ରେମିକକୁ ପିଟି ପିଟି ହତ୍ୟା, ଜାଣନ୍ତୁ ପୂରା କାହାଣୀ

ମଧ୍ୟପ୍ରଦେଶ: ମୁରେନା ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରେମର ଅଜବ ପରିଣାମ । ପ୍ରେମିକାକୁ ଦେଖା କରିବାକୁ ଯାଇ ହତ୍ୟାର ଶିକାର ପାଲଟିଯାଇଛି ପାଗଳ ପ୍ରେମୀ । ନିକଟସ୍ଥ ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି । ସମଗ୍ର ଜିଲ୍ଲାରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀପ ଗ୍ୱାଲିୟରରେ ରହି ଏକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ସେଠାରେ କୋଚିଙ୍ଗ ସେଣ୍ଟରରେ ଜଣେ ଯୁବତୀଙ୍କ ସହ ଗଢି ଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ । ତେବେ ଉଭୟଙ୍କ ମଧ୍ୟରେ ସାମାଜିକ ପାର୍ଥକ୍ୟ ରହିଥିବାରୁ ପରିବାର ଏହି ସମ୍ପର୍କକୁ ଅନୁମତି ଦେଇ ନଥିଲେ । ବରଂ ଯୁବତୀଙ୍କ ବିବାହ ଅନ୍ୟ ଏକ ସ୍ଥାନରେ କରାଇ ଦେଇଥିଲେ ପରିବାର ଲୋକେ । କିନ୍ତୁ ଏହାପରେ ଦିଲ୍ଲୀପ ତାଙ୍କ ପ୍ରେମିକାକୁ ଭେଟ କରିବା ପାଇଁ ତାଙ୍କ ଶାଶୁ ଘରକୁ ଚାଲିଯାଇଥିଲେ । ଦିଲ୍ଲୀପଙ୍କୁ ଦେଖି ଯୁବତୀଙ୍କ ଶାଶୁଘର ଲୋକେ ରାଗି ଯାଇଥିଲେ ଏବଂ ତାଙ୍କୁ ଖୁବ ମାଡ ମାରିଥିଲେ । ତେବେ ମାରପିଟ ସମୟରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ହତ୍ୟା ପରେ ଅଭିଯୁକ୍ତମାନେ ଦିଲ୍ଲୀପଙ୍କ ମୃତଦେହକୁ ପୋଖରୀରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ୪ ଦିନ ପୂର୍ବେ ମରେନା ଜିଲ୍ଲା ବାନମୌର ଥାନା ଅଞ୍ଚଳର ଧନୀରାମ କୁଶବାହାଙ୍କ ପୁଅ ଦିଲ୍ଲୀପଙ୍କର ନିଖୋଜ ମାମଲା ରୁଜୁ କରିଥିଲେ । ଏହାପରେ ପୋଲିସ ଦିଲ୍ଲୀପଙ୍କୁ ଖୋଜିବା ଆରମ୍ଭ କରିଥିଲା । ତେବେ ଏହି ତଦନ୍ତ ସମୟରେ ପୋଲିସକୁ ଯେଉଁ ସୁରାଗ ମିଳିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସ୍ଥାନୀୟ ଏକ ପୋଖରୀରୁ ଯୁବକଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହରେ ମାର-ପିଟ ହୋଇଥିବାର ଅନେକ ଚିହ୍ନ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.