fbpx

ଚୋରି ହେଲା ଗଞ୍ଜା ! ଥାନାର ଦ୍ୱାରସ୍ଥ ହେଲେ ମାଲିକ, ପୋଲିସ ମାମଲା ରୁଜୁ କରିବାକୁ ମନା କରିବାରୁ କଲେ ଏପରି କାମ

ରାୟପୁର: ବର୍ତ୍ତମାନ ସବୁଆଡ଼େ ପାର୍ବଣର ମାହୋଲ । ଏଭଳି ସ୍ଥିତିରେ ଚୋରି, ଡକାୟତି ଭଳି ମାମଲା ବୃଦ୍ଧି ପାଇଥାଏ । ତେଣୁ ଉଭୟ ପୋଲିସ ଓ ଜନତା ଚୋରି ପ୍ରତି ସତର୍କତା ଅବଲମ୍ବନ କରିଥାନ୍ତି । ସାଧାରଣତଃ ଥାନାରେ ଜଣେ ମୂଲ୍ୟବାନ ଅଳଙ୍କାର, ଗାଡ଼ି ଇତ୍ୟାଦି ଚୋରି ହେଲେ ଥାନାରେ ଅଭିଯୋଗ କରିଥାଏ । କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗଞ୍ଜା ଚୋରି ହେବା ନେଇ ଥାନାର ଦ୍ୱାରସ୍ଥ ହୋଇଥିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ସରଗୁଜା ଜିଲ୍ଲାରେ ।

ସୂଚନାରୁ ପ୍ରକାଶ ସରଗୁଜା ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳ ସ୍ଥିତ ଲମଗାଁର ଜଣେ ବାସିନ୍ଦା ଫହିମୁଦ୍ଦିନ ଦୀର୍ଘ ୪-୫ ବର୍ଷ ହେବ ଏକ ମାନସିକ ଗଞ୍ଜା ପାଳି ଆସୁଥିଲେ । ପଡ଼ିଶା ତାଙ୍କ ଗଞ୍ଜା ଚୋରି କରିଥିବା ଅଭିଯୋଗ ନେଇ ସେ ରଘୁନାଥପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ପିଡ଼ିତ (ଫହିମୁଦ୍ଦିନ) ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ଏହା ପରେ ପିଡ଼ିତ ସରଗୁଜା ଅତିରିକ୍ତ ଏସପିଙ୍କ ନିକଟକୁ ଯାଇଥିଲେ । ଅତିରିକ୍ତ ଏସପି କାର୍ଯ୍ୟାଳୟରେ ସେ କହିଥିଲେ କି ତାଙ୍କ ମାନସିକ ଗଞ୍ଜା ଚୋରି ହୋଇଯାଇଛି । ଏହା ପଛରେ ତାଙ୍କ ପଡ଼ିଶାଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ପଡ଼ିଶାଙ୍କ ସହ ଜମି ବିବାଦ ଚାଲିଥିବା ସେ ଏସପିଙ୍କ ନିକଟରେ କହିଥିଲେ । ଏନେଇ ପୂର୍ବରୁ ପଡ଼ିଶା ତାଙ୍କ ଘରେ ପଶି ଭଙ୍ଗାରୁଜା ମଧ୍ୟ କରିଥିବା ସେ କହିଥିଲେ । ତେବେ ପୀଡ଼ିତଙ୍କ ଅଭିଯୋଗ ଶୁଣିବା ପରେ ଖୁବ ଶୀଘ୍ର ଏହି ମାମଲାର ତଦନ୍ତ ହେବ ବୋଲି ଆଶ୍ୱାସନା ଦେଇଥିଲେ ଅତିରିକ୍ତ ଏସପି ।

Get real time updates directly on you device, subscribe now.