fbpx

ଶୀତରୁ ସାମାନ୍ୟ ମିଳିଲା ଆଶ୍ୱସ୍ତି, ୧୨ ଡିଗ୍ରୀ ତଳେ ୯ ସହରର ତାପମାତ୍ରା: ଜାଡ଼ ପରେ ଆଗକୁ ବର୍ଷା ସମ୍ଭାବନା

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଗତ ପାଞ୍ଚଦିନ ହେବ ରାଜ୍ୟରେ ଲାଗି ରହିଥିବା ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ତ୍ରାହି ମିଳିଛି । ଶୀତ କମିବା ପରେ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରାରେ ବୃଦ୍ଧି ଘଟିଥିବାରୁ ଶୀତର ପ୍ରଭାବ ହ୍ରାସ ପାଇଛି ।

ଶନିବାର ମଧ୍ୟ ରାତିର ତାପମାତ୍ରାରେ ଦୁଇରୁ ତିନି ଡିଗ୍ରୀ ବୃଦ୍ଧି ପାଇଛି । ଶୁକ୍ରବାର ରାତିରେ ରାଜ୍ୟର ୯ ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୮ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ସହ ସୁନ୍ଦରଗଡ଼ ସହର ସବୁଠୁ ଥଣ୍ଡା ସହର ଭାବେ ବିବେଚିତ ହେଉଥିବାବେଳେ ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା । ସେହିପରି ଟିଟିଲାଗଡ଼ରେ ୮.୫, ବୌଦ୍ଧରେ ୧୦, କେନ୍ଦୁଝରରେ ୧୦.୪, ବଲାଙ୍ଗିର, ଝାରସୁଗୁଡା ଓ ସୋନପୁରରେ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପକ୍ଷରେ ଜାଡ଼ ପରେ ବର୍ଷା ଆସୁଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ତାପମାତ୍ରା ବଢ଼ିବା ସହ କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିବ । ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ୨୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ପରେ ପାଗ ବଦଳିବା ସହିତ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୮ ତାରିଖରେ ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ର ଅଧିକାଂଶ ଅଞ୍ଚଳରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.