ନୂଆଦିଲ୍ଲୀ:ତାମିଲନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ଏକ ସଭାରେ ସମ୍ବୋନ୍ଧିତ କରିବା ସମୟରେ ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ , ମ୍ୟାଲେରିଆ ସହ ତୁଳନା କରିଛନ୍ତି । ଉଦୟନିଧିଙ୍କ ଏହି ବୟାନକୁ ନେଇ ଦେଶରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଜୋରଦାର ହୋଇଛି । ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ବି ରୁଜୁ ହୋଇ ସାରିଛି ।
ସନାତନ ଧର୍ମ ବିରୁଦ୍ଧରେ ଉତ୍ତେଜକ ଓ ମାନହାନିକାରକ ବୟାନ ଦେଇଥିବାରୁ ସୁପ୍ରିମକୋର୍ଟ ଓକିଲ ତଥା ସାମାଜିକ କାର୍ଯ୍ୟକର୍ତ୍ତା ବୀନିତ ଜିନ୍ଦଲଙ୍କ ପକ୍ଷରୁ ଉଦୟନିଧି ଷ୍ଟାଲିନଙ୍କ ବିରୁଦ୍ଧରେ ଦିଲ୍ଲୀ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି । ଏଥିରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୦ ବି, ୧୫୩ ଏ, ୨୯୫ ଓ ୫୦୪ ଓଏଫ୍ ଓ ଆଇଟି ଆଇନର ଧାରା ସାମିଲ ରହିଛି ।
ଉଦୟନିଧି ନିଜ ବୟାନରେ ସନାତନ ଧର୍ମର ତୁଳନା ଡେଙ୍ଗୁ ଓ ମ୍ୟାଲେରିଆ ସହ କରିଛନ୍ତି । ସେ କହିଛନ୍ତି ସନାତନ ଧର୍ମକୁ କେବଳ ବିରୋଧ ନୁହେଁ ପୁରା ସମାପ୍ତ କରିଦେବା ଉଚିତ । ଗତ ଶନିବାର ସନାତନ ଉନ୍ମୁଳନ ସମ୍ମିଳନୀରେ ଉଦୟନିଧି କହିଛନ୍ତି ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୋଧୀ ଅଟେ । କିଛି ଜିନିଷକୁ ବିରୋଧ କରାଯାଇପାରିବ ନାହିଁ ତାକୁ ମୂଳରୁ ସମାପ୍ତ କରିଦେବା ଉଚିତ । ଡେଙ୍ଗୁ, ମ୍ୟାଲେରିଆ ପରି ରୋଗକୁ ଆମେ ବିରୋଧ କରିପାରିବା ନାହିଁ ବରଂ ନିପାତ କରିଦେବା ଉଚିତ । ସେହିପରି ଆମେ ସନାତନ ଧର୍ମକୁ ସମାପ୍ତ କରିଦେବା ଉଚିତ । ଉଦୟନିଧି ଷ୍ଟାଲିନ ଡିଏମକେ ସରକାରରେ ଯୁବ କଲ୍ୟାଣ ଓ କ୍ରୀଡା ବିକାଶ ମନ୍ତ୍ରୀ ଅଛନ୍ତି ।