fbpx

ବୈଜ୍ଞାନିକଙ୍କ ବଡ଼ ସଫଳତା: ଛତୁରୁ ନିର୍ମାଣ ହେବ କମ୍ପ୍ୟୁଟର ଚିପସ୍, ବିଶ୍ୱରୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ହ୍ରାସ ପାଇବ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବୈଦ୍ୟୁତିକ ବର୍ଜ୍ୟବସ୍ତୁକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି କ୍ଷତି ପଛର ଏକ ବଡ଼ କାରଣ ହେଉଛି ଇଲେକ୍ଟ୍ରୋନିକ ଚିପ୍ସ । ଏହି ଚିପ୍ସ ତିଆରି କରିବା ପାଇଁ ପ୍ଲାଷ୍ଟିକର ବ୍ୟବହାର କରାଯାଇଥାଏ, ଯାହାକି ରିସାଇକିଲ ହୋଇନଥାଏ । ଚିପ୍ସର ଭିତର ସର୍କିଟରେ କଣ୍ଡକ୍ଟିଂ ମେଟାଲ ରହିଥିବା ବେଳେ ତାହା ଏକ ଥଣ୍ଡା ପରିବେଶରେ ଇନସୁଲେଟିଂ ବେସ ଆଧାରରେ ପ୍ରସ୍ତୁତ କରାଯାଇଥାଏ । ତାହାକୁ ସବଷ୍ଟ୍ରେଟ କୁହାଯାଇଥାଏ ।

ପ୍ରତ୍ୟେକ କମ୍ପ୍ୟୁଟର ଚିପ୍ସରେ ସବଷ୍ଟ୍ରେଟ ରହିଥାଏ । ଏହି ସବଷ୍ଟ୍ରେଟ ରିସାଇକିଲ ହେଉ ନଥିବା ପ୍ଲାଷ୍ଟିକ ପଲିମରରୁ ପ୍ରସ୍ତୁତ ହୋଇଥାଏ । ଚିପ୍ସ ଖରାପ ହେବା ପରେ ତାହାକୁ ଫିଙ୍ଗି ଦିଆଯାଇଥାଏ । ଏପରି ଭାବେ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ୫ କୋଟି ଟନ ଇଲେକ୍ଟ୍ରୋନିକ ୱେଷ୍ଟ ବାହାରିଥାଏ । ଅଷ୍ଟ୍ରିଆର ଲିଞ୍ଜ ସ୍ଥିତ ଜୋହାନ୍ସ କେପଲର ୟୁନିଭରସିଟିର ସାଇଣ୍ଟିଷ୍ଟ ମାର୍ଟିନ କାଲ୍ଟେନବ୍ରନରଙ୍କ ମତରେ, ସବଷ୍ଟ୍ରେଟକୁ ରିସାଇକିଲ କରିବା ବହୁତ କଠିନ ଅଟେ । ଇଲେକ୍ଟ୍ରୋନିକ ୱେଷ୍ଟର ଅଧିକାଂଶ ଅଂଶ ଏଥିରେ ରହିଥାଏ । ଏହାର ମୂଲ୍ୟ ମଧ୍ୟ ବହୁତ କମ୍ ହୋଇଥାଏ ।

ଯଦି ଚିପ୍ସକୁ ରିସାଇକିଲ କରିବା ସମ୍ଭବ ହୁଅନ୍ତା, ତେବେ ତାହାକୁ ପୁନର୍ବାର ବ୍ୟବହାର କରିହୁଅନ୍ତା ବୋଲି ମାର୍ଟିନ କହିଛନ୍ତି । ମାର୍ଟିନ ଓ ତାଙ୍କ ଟିମ୍ ଛତୁର ଏକ ପ୍ରଜାତି ଗୋନୋଡର୍ମା ଲୁସିଡମର ଚର୍ମରୁ ଚିପ୍ସର ସବଷ୍ଟ୍ରେଟ ନିର୍ମାଣ କରିବେ । ଏହି ଛତୁ ଏକ ପ୍ରକାରର ଫଙ୍ଗସ୍ ହୋଇଥିବା ବେଳେ ଏହା ସଢ଼ା ବୃକ୍ଷମାନଙ୍କରେ ବଢ଼ିଥାଏ । ଏହି ଛତୁ ନିଜର ମାଇସିଲିୟମକୁ ବଞ୍ଚାଇବା ପାଇଁ ଚାରିପାଖରେ ମଜବୁତ ତ୍ୱଚା ନିର୍ମାଣ କରିଥାଏ ।

ଏବେ ଛତୁର ଏହି ସ୍କ୍ରିନକୁ ବ୍ୟବହାର କରି ଇଲେକ୍ଟ୍ରୋନିକ ଉପକରରଣ ପ୍ରସ୍ତୁତ କରିହେବ । ଏହି ଛତୁ ଦ୍ୱାରା ୱେୟରେବଲ ସେନସର୍ସ ବା ରେଡିଓ ଟ୍ୟାଗ୍ସ, ଆଡପ୍ଟିଭ କୋଠା, ୱେୟରବେଲ ଫଙ୍ଗଲ ଡିଭାଇସ ତିଆରି କରିହେବ । ଏହାକୁ ରିସାଇକିଲ ମଧ୍ୟ କରିହେବ ଅର୍ଥାତ ଇଲେକ୍ଟ୍ରୋନିକ ବର୍ଜ୍ୟବସ୍ତୁ ବାହାରିବ ନାହିଁ । ଏହାର ବ୍ୟବହାର ସାଧାରଣ ବ୍ୟାଟେରୀ ଓ ଶକ୍ତିଶାଳୀ ବ୍ଲୁଟୁଥ ସେନ୍ସରରେ ମଧ୍ୟ ଉପଯୋଗ କରିହେବ । ତେବେ ଇଂଲଣ୍ଡ ସ୍ଥିତ ୟୁନିଭରସିଟି ଅଫ୍ ୱେଷ୍ଟର ଜଣେ ବୈଜ୍ଞାନିକଙ୍କ ମତରେ, ଇତିହାସକୁ ବଦଳାଇଦେବା ଭଳି ତଥ୍ୟ ରିସର୍ଚ୍ଚରୁ ମିଳିଛି । ଏହାଦ୍ୱାରା ସାରା ଦୁନିଆରେ ଜଳବାୟୁ ପରିବର୍ତ୍ତନ ହ୍ରାସ ପାଇବା ସହ ପ୍ରଦୂଷଣ କମ୍ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.