fbpx

ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ: ବର୍ଷାରେ ଭିଜିବ ଶାରଦୀୟ ପୂଜା

Advertisement

ଭୁବନେଶ୍ୱର, (ଓଡ଼ିଶା ଭାସ୍କର) : ରାଜ୍ୟରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଘନୀଭୂତ ହେବାରେ ଲାଗିଛି । ତେବେ ଏହା କେତେ ପରିମାଣର ଘନୀଭୂତ ହେବ ସେନେଇ କିଛି ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ଯଦି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୁଏ ତେବେ ଶାରଦୀୟ ଦୁର୍ଗା ପୂଜା ବର୍ଷାରେ ଭିଜିବ ବୋଲି ପୂର୍ବାନୁମାନ କରାଯାଉଛି ।

ଘୂର୍ଣ୍ଣିବଳୟ ଉତ୍ତର ଏବଂ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କେଉଁଝର ଓ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ସୋମବାର ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ତେବେ ପାଣିପାଗ ବିଭାଗର ସୂଚନାନୁଯାୟୀ, ୨୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୮ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେଉଁଝର ଏବଂ ମୟୁରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଘୁଚାପ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ପୁଣି ଆଗକୁ ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବିଶେଷ କରି ଚାଷୀକୁଳ ଆଶା ଓ ଆଶଙ୍କାରେ ରହୁଛନ୍ତି ।

Get real time updates directly on you device, subscribe now.