fbpx

ମୁସ୍କିଲ ସମୟରେ ସଙ୍କଟମୋଚକ ଏକେ ଆଣ୍ଟୋନୀଙ୍କୁ ମନେ ପକାଇଲେ ସୋନିଆ, ଲୋଡିଲେ ସହାୟତା

ନୂଆଦିଲ୍ଲୀ: ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମୁସ୍କିଲ ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ ନୂତନ ସଙ୍କଟ ସୃଷ୍ଟି କରିଛି। ଏମିତି ଘଡିସନ୍ଧି ସମୟରେ ପୂର୍ବରୁ ସଙ୍କଟମୋଚକ ଥିବା ଏକେ ଅଣ୍ଟୋନୀଙ୍କୁ ମନେ ପକାଇଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ରାଜନୀତିରୁ ସନ୍ନ୍ୟାସ ନେଇ ସାରିଥିବା ଏକେ ଆଣ୍ଟୋନୀଙ୍କୁ ମଙ୍ଗଳବାର ପାର୍ଟି ହାଇକମାଣ୍ଡ ତଲବ କରିଛନ୍ତି। ଆଣ୍ଟୋନୀ କେରଳରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ତାଙ୍କ ନିକଟତର ଲୋକ କହିଛନ୍ତି।

ସେ ଆଜି ରାତିରେ ହିଁ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ। ୮୧ ବର୍ଷୀୟ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଟୋନୀ ଚଳିତ ବର୍ଷ ମାର୍ଚ୍ଚରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରି ନିଜ ରାଜ୍ୟ କେରଳ ଫେରି ଯାଇଥିଲେ। ପାର୍ଟିର ଜଣେ ବରିଷ୍ଠ ନେତା କହିଛନ୍ତି, ଆଣ୍ଟୋନୀଙ୍କୁ ଶୀଘ୍ର ଦିଲ୍ଲୀ ପହଞ୍ଚିବାକୁ କୁହାଯାଇଛି। ରାଜସ୍ଥାନରେ ଜାରି ଗତିରୋଧର ସମାଧାନ ପାଇଁ ସୋନିଆ ଆଣ୍ଟୋନୀଙ୍କ ସହାୟତା ଲୋଡିଥିବା କୁହାଯାଉଛି। ଆଣ୍ଟୋନୀ ପାର୍ଟିର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ। ତାଙ୍କର ସ୍ଵଚ୍ଛ ଭାବମୂର୍ତ୍ତି ବଳରେ ପାର୍ଟିର ଅନ୍ୟ ନେତା ତାଙ୍କୁ ବହୁତ ସମ୍ମାନ କରନ୍ତି।

ସୂଚନାଯୋଗ୍ୟ, ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଆଲୋଚନା ମଧ୍ୟରେ ଅଶୋକ ଗେହଲଟଙ୍କ ସମର୍ଥକ ବିଧାୟକ ସାମୂହିକ ଇସ୍ତଫା ଦେଇଛନ୍ତି। ତେବେ ରାଜସ୍ଥାନ ସଙ୍କଟକୁ ନେଇ ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକନ ଏବଂ ମଲ୍ଲିକାର୍ଜୁନ ଖଡଗେ ନିଜର ଲିଖିତ ରିପୋର୍ଟରେ ଗେହଲଟଙ୍କୁ କ୍ଲିନ ଚିଟ୍ ଦେଇଥିବା କୁହାଯାଉଛି। ରାଜନୈତିକ ସଙ୍କଟ ପାଇଁ ଅଶୋକ ଗେହଲଟ୍ ଙ୍କୁ  ଦାୟୀ କରାଯାଇ ନାହିଁ। ଅନ୍ୟ ବୈଠକ ଡକାଇଥିବା ତିନି ପ୍ରମୁଖ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି।

Get real time updates directly on you device, subscribe now.