fbpx

ସର୍ତ୍ତମୂଳକ ଏଜେଣ୍ଡା ଗୃହୀତ କରାଇବାକୁ ଚାହୁଁଥିଲେ ଗେହଲଟ ଗୋଷ୍ଠୀ, ଏମିତି କଂଗ୍ରେସ ଇତିହାସରେ କେବେ ଘଟିନି: ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ: ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀକୁ ନେଇ ହରଡଘଣାରେ କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଗେହଲଟ୍ ଙ୍କ ସଙ୍କଟରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ। ସଚିନ ପାଇଲଟ୍ ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର ଆଲୋଚନା ମଧ୍ୟରେ କେନ୍ଦ୍ର ହାଇକମାଣ୍ଡ ସାମ୍ନାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଅଶୋକ ଗେହଲଟ ଗୋଷ୍ଠୀର ସମର୍ଥକ ବିଧାୟକ।

ସେମାନେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୦ରେ ବିଦ୍ରୋହ କରିଥିବା ବିଧାୟକଙ୍କୁ ଛାଡି ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ। ଅକ୍ଟୋବର ୧୯ ପର୍ଯ୍ୟନ୍ତ ଗେହଲଟ ଗୋଷ୍ଠୀ ପାର୍ଟିର କୌଣସି ବି ବୈଠକରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ ଶବ୍ଦରେ କହିଛନ୍ତି। ଗେହଲଟ୍ ଙ୍କ ଏମିତି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ଦଳର ହାଇକମାଣ୍ଡ। ଏପରିକି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ମଧ୍ୟ ଗେହଲଟ୍ ଙ୍କ ପ୍ରତି ଖପ୍ପା। ବିଧାୟକ ଦଳ ବୈଠକରେ ଗେହଲଟ୍ ଗୋଷ୍ଠୀର ବିଧାୟକ ଯୋଗ ନଦେବାକୁ ଦଳ ଅନୁଶାସନହୀନତା ମାନିଛି।

ଗେହଲଟ୍ ଗୋଷ୍ଠୀର ବିଧାୟକ ବୈଠକରେ ଯୋଗ ନଦେବାକୁ ଅନୁଶାସନହୀନତା କହିଛନ୍ତି ପର୍ଯ୍ୟବେକ୍ଷକ ଅଜୟ ମାକନ ଏବଂ ମଲ୍ଲିକାର୍ଜୁନ ଖଡଗେ। ଉଭୟ କହିଛନ୍ତି, ବିଧାୟକଙ୍କ ଏମିତି କାର୍ଯ୍ୟ ଅନୁଶାସନହୀନତା। ଏବେ ଏହା ଦେଖିବାକୁ ବାକି ରହିଲା ଯେ, ଏହି ବିଧାୟକଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ବିଧାୟକଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ଜାଣିବାକୁ ଚାହୁଁଥିଲେ, ମାତ୍ର ସେମାନେ ଯେଉଁଭଳି କାମ କଲେ କଂଗ୍ରେସ ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି ମାକନ ଏବଂ ଖଡଗେ କହିଛନ୍ତି।

ଦୁଇ ପର୍ଯ୍ୟବେକ୍ଷକଙ୍କ କହିବା କଥା ଗେହଲଟ ସମର୍ଥକଙ୍କ ୧୦୨ ବିଧାୟକଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରୁଥିଲେ। ସେମାନେ ନିଜର କଥାକୁ ଏଜେଣ୍ଡା ଭାବେ ସାମିଲ୍ କରିବାକୁ ଚାହୁଁଥିଲେ। କଂଗ୍ରେସ ଇତିହାସରେ ସର୍ତ୍ତମୂଳକ ଏଜେଣ୍ଡା କେବେ ଗୃହୀତ ହୋଇ ନାହିଁ। ବିଧାୟକ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା ନକରିବାକୁ ଦାବି କରିଥିଲେ। ହେଲେ ଏମିତି ସମ୍ଭବ ନୁହେଁ। କାରଣ ଗେହଲଟଙ୍କ ଅଧ୍ୟକ୍ଷ ପଦ ଦାୟିତ୍ଵ ସମ୍ଭାଳିବା ପୂର୍ବରୁ ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ଅପରିହାର୍ଯ୍ୟ ଥିଲା ବୋଲି ମାକନ କହିଛନ୍ତି।

Get real time updates directly on you device, subscribe now.