fbpx

ଗେହଲଟ୍ ବନାମ ଥରୁର ? ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ୫ ସେଟ୍ ମଗାଇଲେ କେରଳ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପ୍ରତିନିଧି ଶନିବାର ପାର୍ଟିର ସଭାପତି ପଦରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ନେବା ପାଇଁ ଦିଲ୍ଲୀ ଆସିଛନ୍ତି। ପ୍ରତିନିଧି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କୁ ଭେଟିଛନ୍ତି। ନିଜ ପ୍ରତିନିଧି ଏବଂ ଚିଠି ଜରିଆରେ ଥରୁର କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ରର ପାଞ୍ଚ ସେଟ୍ ମଗାଇଛନ୍ତି।

ଏଥିରୁ ସ୍ପଷ୍ଟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପଦ ପାଇଁ ମୁକାବିଲା ଅଶୋକ ଗେହଲଟ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବାକୁ ଯାଉଛି। ରାହୁଲଙ୍କୁ ଭେଟିବା ପରେ ଗେହଲଟ୍ ଶୁକ୍ରବାର ଘୋଷଣା କରିଥିଲେ ଯେ, ସେ ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରାର୍ଥୀ ହେବେ। ସେ ସ୍ପଷ୍ଟ କରିଥିଲେ ଯେ, ନିର୍ବାଚନରେ ଗାନ୍ଧୀ-ନେହେରୁ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ।
ହେଲେ ମଇଦାନକୁ ଆଉ କିଛି ନେତାଙ୍କ ଓହ୍ଲାଇବା ସମ୍ଭାବନାକୁ ଖାରଜ କରାଯାଇ ପାରିବ ନାହିଁ। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ମୁକୁଲ ଓ୍ଵାସନିକ ଏବଂ ପୃଥ୍ଵୀରାଜ ଚହ୍ଵାଣଙ୍କ ନାମ ମଧ୍ୟ ସମ୍ଭାବିତ ପ୍ରାର୍ଥୀ ତାଲିକାରେ ରହିଛି। ଏପରିକି କଂଗ୍ରେସ ସାଂସଦ ମନୀଷ ତିଓ୍ଵାରୀ ମଧ୍ୟ ନିର୍ବାଚନ ଲଢିବା ନେଇ ବିଚାର କରୁଛନ୍ତି। ଆସନ୍ତା ସପ୍ତାହ ଆରମ୍ଭରେ ଗେହଲଟ୍ ଙ୍କ ନାମାଙ୍କନ ପତ୍ର ଦାଖଲ କରାଯିବାର ସମ୍ଭାବନା ରହିଛି।

କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଗୁରୁବାର ପାର୍ଟିର ଅଧ୍ୟକ୍ଷ ପଦ ନିର୍ବାଚନର ଅଧିସୂଚନା ଜାରି କରିଛନ୍ତି। ନାମାଙ୍କନ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ପ୍ରତ୍ୟାହାର କରାଯିବାର ଶେଷ ତାରିଖ ଅକ୍ଟୋବର ୮ ରହିଛି। ଜଣେରୁ ଅଧିକ ପ୍ରାର୍ଥୀ ରହିଲେ ଅକ୍ଟୋବର ୧୭ରେ ମତଦାନ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।

Get real time updates directly on you device, subscribe now.