ରାହୁଲ ଗାନ୍ଧୀଙ୍କ ଇସି ନୋଟିସକୁ ନେଇ ଏଭଳି କହିଲେ କଂଗ୍ରେସ ସଭାପତି ମଲ୍ଲୀକା ଅର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ(ଇସି) ଏକ ନୋଟିସ ଜାରି କରିଛନ୍ତି। ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି “ପନୌତି” ଶବ୍ଦ ବ୍ୟବହାର କରିଥିଲେ ରାହୁଲ। ୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ତାଙ୍କୁ ଏହି ନୋଟିସରେ ନିର୍ଦ୍ଦେଶ ରହିଛି। ଏନେଇ କାହିଁକି କାର୍ୟ୍ୟାନୁଷ୍ଠାନ ନ ହେବ ସେଥିପାଇଁ ଉତ୍ତର ରଖିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ରହିଛି। ତେବେ ରାହୁଲ ଗାନ୍ଧୀଙ୍କ ଇସି ନୋଟିସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସଭାପତି ମଲ୍ଲୀକା ଅର୍ଜୁନ ଖଡ଼ଗେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ଦଳ ନିର୍ବାଚନ ଆୟୋଗର ନୋଟିସକୁ ଜବାବ ଦେବ।

ଖଡ଼ଗେ କହିଛନ୍ତି, “ସେମାନଙ୍କୁ ପଠାଇବାକୁ ଦିଅନ୍ତୁ (ରାହୁଲ ଗାନ୍ଧୀଙ୍କୁ ନୋଟିସ୍) ଆମେ ଏହାର ଉତ୍ତର ଦେବୁ। ଏହା ଏକ ବଡ ଡିଲ୍ ନୁହେଁ। କାହା ଉପରେ ସେଭଳି କିଛି କଡ଼ା ମନ୍ତବ୍ୟ ଦିଆଯାଇ ନାହିଁ। କିନ୍ତୁ ନିର୍ବାଚନ ଚାଲିଥିବାରୁ ହାଇପ୍ରୋଫାଇଲ୍ ସୃଷ୍ଟି ହେଉଛି। ଆମେ ନୋଟିସକୁ ଜବାବ ଦେବୁ। ଆଜି ନିର୍ବାଚନରେ ​​ସେମାନେ ଯେଉଁଭଳି ଭୟଭୀତ କରେଇବାକୁ ଚେଷ୍ଟା କରୁଛନ୍ତି ତାହା ଠିକ୍ ନୁହେଁ। ଯଦି ସେମାନେ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସେମାନେ ଗ୍ରାଉଣ୍ଡରେ ଜବାବ ଦେବା ଉଚିତ୍ ହୁଅନ୍ତା। ହେଲେ ଏହା ବଦଳରେ ଇଡି, ସିବିଆଇ ଇତ୍ୟାଦି ବ୍ୟବହାର କରାଯାଉଛି ବୋଲି ଖଡ଼ଗେ ANIକୁ କହିଛନ୍ତି।

ସୂଚନା ଥାଉକି, ରାଜସ୍ଥାନର ଜାଲୋରେ ଠାରେ ଆୟୋଜିତ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଯୋଗ ଦେଇଥିଲେ। ଏହି ସମୟରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ କଥା ଉଠିଥିଲା। ଏତିକି ବେଳେ ଭିଡ଼ ଭିତରୁ ଜଣେ କେହି ପନୌତି, ପନୌତି କହି ଚିତ୍କାର କରିଥିଲେ। ଏହା ଶୁଣି ରାହୁଲ ଗାନ୍ଧି ସ୍ମିଥ ହାସ୍ୟ ଦେଇଥିଲେ ଓ କହିଥିଲେ, “ହଁ, ପନୌତି, ପନୌତି। ଆମ ପିଲାମାନେ ବେଶ ଆରାମରେ ବିଶ୍ୱକପ ଜିତି ଯାଇଥାଆନ୍ତେ, କିନ୍ତୁ ସେଠାରେ ପନୌତି ହରାଇ ଦେଲା। ଟିଭିବାଲା ଏହା କେବେ ହେଲେ କହିବେ ନାହିଁ। ହେଲେ ସାଧାରଣ ଜନତା ସବୁ ଜାଣିଛନ୍ତି।” ତେବେ ପନୌତିର ଅର୍ଥ ହେଉଛି ଅଶୁଭ। ଏଥିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଧରି ନାହାନ୍ତି। କିନ୍ତୁ ସେ ଫାଇନାଲ ଦିନ ଷ୍ଟାଡିୟମରେ ଉପସ୍ଥିତି ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି “ପନୌତି” ଶବ୍ଦର ବ୍ୟବହାର କରିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି ଓ ଇସି ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛି।