fbpx

ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା ହେବ; କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: “ଭାରତର ଭବିଷ୍ୟତ ପାଇଁ ଜାତି ଜନଗଣନା ଆବଶ୍ୟକ, ଏଭଳି କିଛି ବୟାନ ରଖି ଏକ ବଡ଼ ଘୋଷଣା କରିଛି କଂଗ୍ରେସ ଦଳ । ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଆଜି ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ।

ସୂଚନା ଥାଉକି, ଆଜି ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁଡିସି) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଜାତି ଜନଗଣନା ଉପରେ ଚାରି ଘଣ୍ଟା ଧରି ଆଲୋଚନା କରିଛୁ। କଂଗ୍ରେସ କାର୍ଯ୍ୟକାରୀ କମିଟି ଦ୍ୱାରା ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଯେଉଁ ରାଜ୍ୟରେ କଂଗ୍ରେସ ସରକାରରେ ଅଛି, ସେଇଠି ନିହାତି ଜାତିଭିତ୍ତିକ ଜନଗଣନା ହେବ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ଜାତି ଜନଗଣନା ନିଷ୍ପତିକୁ ପାରିତ କରାଯାଇଛି । କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ହିମାଚଳ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡରେ ଜାତିଗତ ଜନଗଣନା କରାଯିବ ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, “ଭାରତର ଭବିଷ୍ୟତ ପାଇଁ ଜାତି ଜନଗଣନା ଆବଶ୍ୟକ। ଜାତିଭିତ୍ତିକ ଜନଗଣନା ପରେ ଏକ ନୂତନ ବିକାଶର ରାସ୍ତା ଖୋଲିବ। କଂଗ୍ରେସ ଦଳ ଏହି କାର୍ଯ୍ୟ ସମାପ୍ତ କରିକି ହିଁ ରହିବ। ରାହୁଲ କହିଛନ୍ତି ଯେତେବେଳେ  ଆମେ ପ୍ରତିଶ୍ରୁତି ଦେଇଥାଉ, ଆମେ ତାହା ପୂରଣ କରୁ। ସେ କହିଛନ୍ତି, “ଏବେ ଦୁଇଟି ଇଣ୍ଡିଆ ସୃଷ୍ଟି କରାଯାଉଛି। ଗୋଟିଏ ଆଦାନୀଙ୍କ ପାଇଁ, ଅନ୍ୟଟି ସମସ୍ତଙ୍କ ପାଇଁ। ତେଣୁ ଜାତି ଭିତ୍ତିକ ଜନଗଣନା ପରେ ଆମେ ଏକ ‘ଅର୍ଥନୈତିକ ସର୍ଭେ’ ମଧ୍ୟ କରିବୁ।

Get real time updates directly on you device, subscribe now.