fbpx

ନା ବିଜେପି ନା ବିଜେଡି ଏଥର କେବଳ କଂଗ୍ରେସ ଆସିବ:ପିସିସି ସଭାପତି

ଭୁବନେଶ୍ୱର:  ୨୦୨୪ ସାଧାରଣ ନିର୍ବାଚନକୁ ଏକ ବର୍ଷରୁ ଅଧିକ ସମୟ ବାକି ରହିଛି। ତେବେ ଏହା ପୂର୍ବରୁ ରାଜନୈତିକ ଦଳଗୁଡିକ ପକ୍ଷରୁ ପାଗଭିଡା ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଗତ ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସିଥିଲେ। ଆଉ ଠିକ ଏହି ଦିନ ବିଜେପିକୁ କାଉଣ୍ଟର କରିବାକୁ ବିଜେଡି ଡକାଇଥିଲା କର୍ମକର୍ତ୍ତା ବୈଠକ। ବିଜେପିର କାର୍ଯ୍ୟକ୍ରମ ଭଣ୍ଡୁର କରିବା ପାଇଁ ବିଜେଡି ଏଭଳି କରିଛି ବୋଲି ବିଜେପିର ଅନେକ କାର୍ଯ୍ୟକର୍ତ୍ତା ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମରେ ଉଭୟ ଦଳ ପରସ୍ପର ଉପରେ ଖୁବ ବର୍ଷି ଥିଲେ । କେବଳ ଏତିକି ନୁହେଁ କଂଗ୍ରେସ ଦଳକୁ ଟାର୍ଗେଟ୍ କରିବାର ସୁଯୋଗ ହାତଛଡା କରିନଥିଲା ବିଜେପି। ଭାଇ ଭଉଣୀଙ୍କ ଦଳ କଂଗ୍ରେସ ଦଳ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡାଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଏହାସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ପିସିସି ସଭାପତି।

ସେ କହିଛନ୍ତି, ଓଡିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ । ଓଡ଼ିଆ ଏବଂ ଓଡ଼ିଆ ଜାତି ଜଗନ୍ନାଥଙ୍କ ପାଇଁ ଗର୍ବ କରେ । ଯିଏ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି , ଭଗବାନଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି ତାଙ୍କଠାରୁ ଅବିଜ୍ଞ ଲୋକେ କିଏ ବା ହୋଇପାରେ । ଏଭଳି ମନ୍ତବ୍ୟ ଓଡିଆ ଜାତି ପାଇଁ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଉଭୟ ଦଳ ନିଜର କାର୍ଯ୍ୟକ୍ରମ କରିଛନ୍ତି। ସେଥିରେ ଆମର କିଛି କହିବାର ନାହିଁ । ବିଜେପି କ୍ଷମତକୁ ଆସିବା ନେଇ ପୂର୍ବଥର ମଧ୍ୟ ଘେଷଣା କରିଥିଲା। ଏଥର ମଧ୍ୟ ସେମିତି ଦମ୍ଭୋକ୍ତି ଦେଖାଉଛି। କିନ୍ତୁ ଜନତା ଜାଣିଛନ୍ତି ଏଥିରେ କିଛି ସତ୍ୟତା ନାହିଁ। ଉଭୟ ବିଜେପି ଓ ବିଜେଡି ଦଳ ୯ ବର୍ଷ ପର୍ଯ୍ୟନ୍ତ ମିଶିକି ଶାସନ କରିଥିଲେ ଆଉ ଏବେ କରୁଛନ୍ତି ମଧ୍ୟ ।

ଉଭୟ ସରକାର ରାଜ୍ୟର ବିକାଶ ପାଇଁ କଣ କରିଛନ୍ତି ଏହା ସାରା ରାଜ୍ୟବାସୀଙ୍କୁ ଜଣା। ସମସ୍ତେ ଜାଣିଛନ୍ତି ବିଜେଡି ଯେତେ ଶକ୍ତି ପଦର୍ଶନ କଲେ ବି କିଛି ଫାଇଦା ମିଳିବନି । କାରଣ ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟର କିଛି ବି ଉନ୍ନତି ପରିଲଖିତ ହୋଇନି। ରାଜ୍ୟରେ ବେକାରୀ ସମସ୍ୟା ଠାରୁ ଆରମ୍ଭ କରି ଚାଷୀଙ୍କ ସମସ୍ୟା ଭଳି ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ରହିଛି । ଏ ସବୁଥିରେ ପରିବର୍ତ୍ତନ ଆଣିବା ପାଇଁ ବିଜେଡି ସରକାର କିଛି କରି ନାହିଁ । ଏବେବି ଓଡ଼ିଶାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ରାଜ୍ୟରେ ବିଜେପି ଓ ବିଜେଡିର ବିକଳ୍ପ ହେଉଛି କଂଗ୍ରେସ ଦଳ ବୋଲି ଶରତ ପଟ୍ଟନାୟକ କହିଛନ୍ତି।

ଓଡିଶା ଜନସାଧାରଣ ବୋକା ନୁହନ୍ତି । ତାଙ୍କୁ ଜଣା ଅଛି ତେଣୁ ସେମାନେ ଠିକ ସମୟରେ ଠିକ ନିଷ୍ପତି ନେବେ। ଏଥର କଂଗ୍ରେସ ବିଜୟ ହେବ । ବର୍ତ୍ତମାନ କଂଗ୍ରେସ ବ୍ଲକ ସ୍ତରରେ ପଦଯାତ୍ରା ଆରମ୍ଭ ଜାରି ରଖିଛି। ଲୋକମାନଙ୍କ ପାଖକୁ ଯାଉଛି ଏହା ସହ ଲୋକ ମାନଙ୍କ ଅସୁବିଧା ପଚାରି ବୁଝୁଛି । ଏହି ପଦ ଯାତ୍ରା କଂଗ୍ରେସକୁ ଅଧିକ କ୍ରିୟାଶୀଳ କରେଇବ । କଂଗ୍ରେସ ସହ ଲୋକଙ୍କୁ ଯୋଡ଼ିବ । ଏହାସହ ଜନସାଧାରଣଙ୍କ ସମର୍ଥନ ଆଉ ଆଶୀର୍ବାଦରେ କଂଗ୍ରେସ ସରକାର ଗଢ଼ିବ। କଂଗ୍ରେସ ୯ରୁ ବଢ଼ି ୯୦ ସିଟ ହାସଲ କରିବ କହିଛି।

Get real time updates directly on you device, subscribe now.