fbpx

ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଆବଶ୍ୟକ; ବୈଜ୍ଞାନିକ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଓ ନୂଆ କରୋନା ଭାରିଆଣ୍ଟ ଓମିକ୍ରନର ପ୍ରବେଶକୁ ନେଇ ବୁଷ୍ଟର ଡୋଜ ଲଗାଇବା ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତୀୟ SARS-CoV-2 ଜେନେଟିକ୍ସ କନ୍ସୋର୍ଟିୟମ ବା INSACOG କହିଛି ଯେ, ୪୦ ବର୍ଷରୁ ଅଧିକୟ ବୟସର ଲୋକଙ୍କୁ ବୁଷ୍ଟର ଡୋଜ୍ ନେବା ଉଚିତ୍ । INSACOG ଲ୍ୟାବ୍ ନିଜର ସାପ୍ତାହିକ ବୁଲେଟିନରେ ୪୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ନେବାକୁ ସୁପାରିଶ କରିଛି ।

ଲୋକସଭାରେ କରୋନା ମହାମାରୀର ପରିସ୍ଥିତି ଉପରେ ଆଲୋଚନା ବେଳେ ସାଂସଦମାନେ କୋଭିଡ ଟିକାର ବୁଷ୍ଟର ଡୋଜ୍ ଦାବି କରିଥିଲେ । ଏହି ସମୟରେ ଲ୍ୟାବର ବୈଜ୍ଞାନିକମାନେ ମଧ୍ୟ ଏହା ସୁପାରିଶ କରିଛନ୍ତି । ତେବେ INSACOG ହେଉଛି କରୋନାର ଜିନୋମ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଜାତୀୟ ପରୀକ୍ଷଣ ପ୍ରୟୋଗଶାଳାର ଏକ ନେଟୱାର୍କ ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଟିକା ନେଇ ନଥିବା ଲୋକାମନେ ପ୍ରଥମେ ଟିକାକରଣ କରନ୍ତୁ । ଟିକା ନେଇନଥିବା ଲୋକଙ୍କ ଉପରେ କରୋନାର ଅଧିକ ବିପଦ ରହିଛି । ଏହା ସହିତ ବୈଜ୍ଞାନିକମାନେ କହିଛନ୍ତି ଯେ, କରୋନାର ଭୟଙ୍କର ଭାରିଆଣ୍ଟ ଓମିକ୍ରନ ସହ ଲଢ଼େଇ କରିବାରେ ବର୍ତ୍ତମାନର ଟିକା ଏତେ ଶକ୍ତିଶାଳୀ ନୁହେଁ । ଏଥିପାଇଁ ୪୦ ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ନେଇ ଚିନ୍ତା କରିବା ଆବଶ୍ୟକ ।

Get real time updates directly on you device, subscribe now.