fbpx

ସାଗର ହତ୍ୟାକାଣ୍ଡରେ ନୂତନ ଖୁଲାସା:  ସୁଶୀଲଙ୍କ ହତ୍ୟା ପାଇଁ ରଚା ଯାଇଥିଲା ଷଡଯନ୍ତ୍ର, ପୋଲିସକୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ : ପହିଲମାନ ସାଗର ଧନକଡ ହତ୍ୟାକାଣ୍ଡ ମାମଲାରେ  ନୂତନ ଖୁଲାସା। ସାଗର ହତ୍ୟା ମାମଲା ଯାଞ୍ଚ କରୁ କରୁ ଘଟଣାରେ ଆସିଲା ନୂତନ ମୋଡ। ଛତ୍ରସାଲ ଷ୍ଟାଡିୟମରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା କରିବା ପାଇଁ ରଚା ଯାଇଥିଲା ଷଡଯନ୍ତ୍ର। ଏହାର ସୁରାକ ସୁଶୀଲ କୁମାରଙ୍କୁ ମିଳି ଯାଇଥିଲା। ପୋଲିସର ତଦନ୍ତରେ ସୁଶୀଲ କୁମାରଙ୍କ ହତ୍ୟା ପାଇଁ ରଚାଯାଇଥିବା ଷଡଯନ୍ତ୍ର ସମ୍ବନ୍ଧିତ ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପଟେ ଗିରଫ ପହିଲମାନ ଅନିରୁଦ୍ଧ ନିକଟରୁ ମୋବାଇଲ ଓ ପୋଷାକ ଜବତ ହୋଇଛି।

ଅଭିଯୁକ୍ତ ନିଜ ପୋଷାକ ଧୋଇ ଦେଇଥିବା ଜଣା ପଡିଛି। ଚାରି ଦିନିଆ ପୋଲିସ ରିମାଣ୍ଡ ଶେଷ ହେବା ପରେ ପୋଲିସ ଅନିରୁଦ୍ଧଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରିଛି। ଅପରାଧ ଶାଖାର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ତଦନ୍ତରୁ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ଛତ୍ରସାଲ ଷ୍ଟାଡିୟମରେ ସୁଶୀଲଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚାଯାଇଥିଲା। କୌଣସି ପ୍ରକାରେ ସୁଶୀଲଙ୍କ ପାଖରେ ଏହି ସୂଚନା ପହଞ୍ଚି ଯାଇଥିଲା। ଏହି କାରଣରୁ ସାଗର ହତ୍ୟାକାଣ୍ଡ ଦିନ ଅର୍ଥାତ ମେ ୪ ସକାଳେ ସୁଶୀଲ କୁମାର ଅନେକ ପହିଲମାନଙ୍କୁ ଛତ୍ରସାଲ ଷ୍ଟାଡିୟମରୁ ବଳପୂର୍ବକ ଘଉଡାଇ ଦେଇଥିଲେ। ଏଥିରେ ରବୀନ୍ଦ୍ର ଭିଡ୍ଡା ମଧ୍ୟ ସାମିଲ ଥିଲା। ସେହି ସମୟରେ ସୁଶୀଲ କୁମାର ତାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ରଚା ଯାଉଥିବା ଅନ୍ୟ ପହିଲମାନଙ୍କୁ କହିଥିଲେ।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ମାମଲାରେ ଆଉ କିଛି ତଥ୍ୟ ପୋଲିସକୁ ମିଳିଛି।  ପୋଲିସ ମୋବାଇଲର ସନ୍ଧାନ ପାଇଁ ଗିରଫ କରିଥିବା କୁସ୍ତିଯୋଦ୍ଧା ଅନିରୁଦ୍ଧଙ୍କୁ ଜମ୍ମୁ ଧରି ଯାଇଥିଲେ। କିନ୍ତୁ ହତ୍ୟାକାଣ୍ଡ ଦିନ ସେ ପିନ୍ଧିଥିବା ପୋଷାକ ଏବଂ ମୋବାଇଲ ହରିୟାଣାରେ ନିଜ ଘରୁ ଜବତ କରାଯାଇଛି। କିନ୍ତୁ ମୋବାଇଲରେ କୌଣସି ପ୍ରକାରର ଭିଡିଓ ମିଳିନାହିଁ। ଜବତ ପୂର୍ବରୁ ଅଭିଯୁକ୍ତ ନିଜର ପୋଷାକ ମଧ୍ୟ ଧୋଇ ଦେଇଛି। ତେଣୁ ମୋବାଇଲ ଓ ପୋଷାକକୁ ଫେରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି।

ଅନିରୁଦ୍ଧ କହିଛି, ଘଟଣାସ୍ଥଳରେ ତିନିରୁ ଚାରି ଜଣ ମୋବାଇଲରେ ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲେ। କିନ୍ତୁ ପୋଲିସକୁ ଏ ପର‌୍ୟ୍ୟନ୍ତ କେବଳ ପ୍ରିନ୍ସ ନାମକ ଜଣେ ଯୁବକ ମୋବାଇଲରୁ ଭିଡିଓ ମିଳିଛି। ତେଣୁ ପୋଲିସ ଯଥାଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ମୋବାଇଲରୁ ଭିଡିଓ ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଛି। ଯଦ୍ଵାରା ସୁଶୀଳଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଇ ପାରିବ। ଏ ପର୍ଯ୍ୟନ୍ତ ଆଠରୁ ଅଧିକ ଅଭିଯୁକ୍ତ ଫେରାର ଅଛନ୍ତି।

 

Get real time updates directly on you device, subscribe now.