fbpx

କର୍କଟ ଓ ହୃଦ୍‌ରୋଗର କାରଣ ପାଲଟିଛି ଛଣାଛଣି ପରେ ବଳିଯାଉଥିବା ତେଲର ବ୍ୟବହାର; ଆଇସିଏମ୍‌ଆର୍‌

AAKASH

ଓଡ଼ିଶା ଭାସ୍କର: ଛଣାଛଣି ପରେ ସାଧାରଣତଃ କଡ଼େଇରେ ଥିବା ତେଲ କେବେ ସରିନଥାଏ। ତେଣୁ ବଳକା ତେଲକୁ ସ୍ବାଭାବିକ ଭାବେ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ସାଇତି ରଖାଯାଇଥାଏ। ମାତ୍ର ତେଲକୁ ବାରମ୍ବାର ଗରମ କରିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ ସତର୍କ କରାଇଛି। ଥରେ ରୋଷେଇ ପରେ ପୁଣି ସେହି ତେଲକୁ ବାରମ୍ବାର ଗରମ କରିବା ଦ୍ବାରା ସେଥିରେ କେତେକ ବିଷାକ୍ତ ଯୌଗିକ ନିର୍ଗତ ହୋଇଥାଏ। ଯାହା ଦ୍ବାରା କର୍କଟ ଓ ହୃଦ୍‌ରୋଗ ଆଶଙ୍କା ବଢ଼ିଥାଏ ବୋଲି ଦର୍ଶାଯାଇଛି।

ତେଲକୁ ବାରମ୍ୱାର ଗରମ କରିବା ଦ୍ବାରା ଏଭଳି ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ, ଯାହା ଶରୀରରେ ‘ଫ୍ରି ରାଡିକାଲ୍‌ସ’ ବଢ଼ାଇଥାଏ। ଫଳରେ ପ୍ରଦାହ ବଢ଼ିବା ସହ ନାନା ରୋଗ ସୃଷ୍ଟି କରିଥାଏ। ଉଚ୍ଚ ତାପମାତ୍ରାରେ ତେଲରେ ଥିବା କିଛି ଚର୍ବି ଅଂଶ ‘ଟ୍ରାନ୍‌ସ ଫ୍ୟାଟ୍‌ସ’ ଓ ‘ଆକ୍ରିଲାମାଇଡ୍‌’ ପରି ବିଷାକ୍ତ ଯୌଗିକରେ ପରିଣତ ହୋଇଥାନ୍ତି। ତେଣୁ ତେଲକୁ ବାରମ୍ବାର ଗରମ କରିବା ବେଳେ ଅଧିକରୁ ଅଧିକ ‘ଟ୍ରାନ୍‌ସ ଫ୍ୟାଟ୍‌ସ’ ସୃଷ୍ଟି ହୋଇଥାଏ ଯାହା କର୍କଟ ଓ ହୃଦ୍‌ରୋଗର କାରଣ ସାଜିଥାଏ। ସେଥିଲାଗି ଛଣାତେଲକୁ ବହାର କରିବା ଦ୍ବାରା ଶରୀରରେ ଅଧିକ ‘ଫ୍ରି ରାଡିକାଲ୍‌ସ’ ସୃଷ୍ଟି ହୋଇ ବିଭିନ୍ନ ରୋଗ ହୋଇଥାଏ।

ସେପଟେ ଏହାକୁ ନେଇ ଆଇସିଏମ୍‌ଆର୍‌ ଆଉ ଏକ ପରାମର୍ଶ ଦେଇଛି। ଛଣାଛଣି ପରେ ବଳିଯାଉଥିବା ତେଲକୁ ଦିନକ ଭିତରେ ରୋଷେଇ କରି ସାରିଦେବା ଉଚିତ୍। ତେବେ ବଳକା ତେଲକୁ ପରିସ୍ରବଣ କରି ଏପରି ବ୍ୟବହାର କରିହେବ। ମାତ୍ର କୌଣସି ପରିସ୍ଥିତିରେ ବି ତାହାକୁ ଅଧିକ ଦିନ ଧରି ସାଇତି ରଖିବାକୁ ବାରଣ କରାଯାଇଛି। ଅପରପକ୍ଷେ, ବଳକା ତେଲର ପୁନର୍ବ୍ୟବହାର ଖାଦ୍ୟପଦାର୍ଥର ସ୍ବାଦ କମାଇଦେଇଥାଏ। ବଳିପଡୁଥିବା ତେଲକୁ କାଁ ଭାଁ ବ୍ୟବହାର କଲେ ଚଳନୀୟ, ସର୍ବଦା ଆବଶ୍ୟକ ଅନୁଯାୟୀ ପ୍ରତି ଥର ରୋଷେଇରେ ଫ୍ରେସ୍ ତେଲ ବ୍ୟବହାର କରିବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ।

Get real time updates directly on you device, subscribe now.