fbpx

‘ବିଜେପିର ବିଜୟରେ ମାୟାବତୀ ଏବଂ ଓଓ୍ଵେସିଙ୍କ ଯୋଗଦାନ ରହିଛି, ସେମାନଙ୍କୁ ଭାରତ ରତ୍ନ ଦେବାକୁ ପଡିବ’

ମୁମ୍ବାଇ: ପାଞ୍ଚ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇ ସାରିଛି। ୟୁପି ସମେତ ୪ଟି ରାଜ୍ୟରେ ବିଜେପି ଉଡାଇଛି ବିଜୟ ବାନା। ପୁନର୍ବାର ସେଠାରେ ସରକାର ଗଢିବାକୁ ଯାଉଛି ଶାସକ ବିଜେପି। ଅନ୍ୟପଟେ ନେତାଙ୍କର ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଛି। ଏହି କ୍ରମରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ୟୁପି ବିଧାନସଭା ନିର୍ବାଚନରେ ବିଜେପିର ବିଜୟରେ ମାୟାବତୀ ଏବଂ ଓଓ୍ଵେସିଙ୍କ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଥିବା କହିଛନ୍ତି। ସେ କହିଛନ୍ତି, ବିଜେପିକୁ ବଡ ବିଜୟ ମିଳିଛି, ୟୁପି ସେମାନଙ୍କର ରାଜ୍ୟ ଥିଲେ ମଧ୍ୟ ଅଖିଳେଶ ଯାଦବଙ୍କ ସିଟ୍ ସଂଖ୍ୟା ବୃଦ୍ଧି ଘଟିଛି। ବିଜେପିର ଏହି ବିଜୟରେ ମାୟାବତୀ ଏବଂ ଓଓ୍ଵେସିଙ୍କ ଯୋଗଦାନ ରହିଛି। ଏହି ସମସ୍ତଙ୍କୁ ପଦ୍ମବିଭୂଷଣ ଏବଂ ଭାରତ ରତ୍ନ ଦେବାକୁ ପଡିବ। ଆମେ ବହୁତ ଖୁସି, ଜୟ ପରାଜୟ ତ ଲାଗି ରହିଥାଏ। ଆପଣଙ୍କ ଖୁସିରେ ଆମେ ମଧ୍ୟ ସାମିଲ୍ ଅଛୁ ବୋଲି ସଞ୍ଜୟ ରାଉତ କହିଛନ୍ତି।

ସଞ୍ଜୟ ରାଉତ ପଞ୍ଜାବରେ ବିଜେପିର ପରାଜୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆପଣ ଆମକୁ ବାରମ୍ବାର ପ୍ରଶ୍ନି କରି ଆସିଛନ୍ତି ଯେ, ୟୁପିରେ ଶିବସେନାକୁ କେତୋଟି ସିଟ୍ ମିଳିଛି ? ୟୁପିରେ କଂଗ୍ରେସ ଏବଂ ଶିବସେନା ଯେଉଁ ପରାଜୟ ଭୋଗିଛି ତାଠୁ ଅଧିକ ଶୋଚନୀୟ ପରାଜୟ ତ ବିଜେପି ପଞ୍ଜାବରେ ଭୋଗିଛି। ଏହି ବିଷୟରେ ଆପଣ ଦେଶକୁ କିଛି ମାର୍ଗଦର୍ଶନ ଦିଅନ୍ତୁ। ଚିନ୍ତାର ବିଷୟ ଏହା ଯେ, ପଞ୍ଜାବରେ ବିଜେପି ପରି ଜାତୀୟ ଦଳକୁ ପଞ୍ଜାବର ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସେଠାରେ ଖୁବ୍ ପ୍ରଚାର କରିଥିଲେ। ତଥାପି ବିଜେପି ସେଠାରେ କାହିଁକି ପରାଜିତ ହେଲା ବୋଲି ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି।

ଶିବସେନା ନେତା ରାଉତ କହିଛନ୍ତି, ବିଜେପି ୪ ରାଜ୍ୟରେ ଜିତିବା ଆମ ପାଇଁ ସମସ୍ୟାର କୌଣସି କାରଣ ନାହିଁ। ଆମେ ଆପଣଙ୍କ ଖୁସିରେ ସାମିଲ୍ ଅଛୁ। କିନ୍ତୁ ବିଜେପି ନେତା ଏହା ଜଣାନ୍ତୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ନିର୍ବାଚନ କେମିତି ହାରିଗଲେ ? ଗୋଆରେ ତ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହାରିଛନ୍ତି। ସବୁଠୁ ଅଧିକ ଚିନ୍ତାର ବିଷୟ ଏହା ଯେ, ପଞ୍ଜାବବାସୀ ରାଜ୍ୟରେ ସଂପୂର୍ଣ୍ଣ ଭାବେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Get real time updates directly on you device, subscribe now.