fbpx

୩ ବାଳକଙ୍କ ଉପରେ ଚଢିଗଲା କରଣ ଭୂଷଣଙ୍କ ପ୍ରଚାର ଗାଡି; ୨ ମୃତ, ଅନ୍ୟ ଜଣେ ଗୁରୁତର

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶ କେସରଗଞ୍ଜ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରଣ ଭୂଷଣ ସିଂହଙ୍କ ପ୍ରଚାର ଗାଡି ୩ ବାଳକଙ୍କ ଉପରେ ଚଢିଯିବା ଦ୍ୱାରା ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କରଣ ଭୂଷଣ ସିଂହ ଏହି ସିଟ୍‌ରୁ ବର୍ତ୍ତମାନର ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କ ପୁତ୍ର । ଗୋଣ୍ଡା ଜିଲ୍ଲା କେସରଗଞ୍ଜ ଲୋକସଭା ସିଟ୍‌ରୁ ବିଜେପି ପ୍ରତ୍ୟାଶୀ କରଣ ଭୂଷଣ ଶରଣ ସିଂହଙ୍କ ପ୍ରଚାର ଗାଡି ମଧ୍ୟରୁ ଏକ ଗାଡି ୩ ବାଳକଙ୍କ ଉପରେ ଚଢିଯାଇଥିଲା । କିନ୍ତୁ କରଣ ଭୂଷଣ ଘଟଣା ପରେ ସେଠାରେ ନ ଅଟକି ଚାଲିଯାଇଥିଲେ । ପୋଲିସ ଘଟଣାସ୍ଥଳରୁ ଏକ ଫର୍ଚୁନର କାର୍‌, ଯାହା ଉପରେ ପୋଲିସ ଏସ୍କର୍ଟ ଲେଖା ଯାଇଥିଲା, ଜବତ କରିଛି ।
ଜିଲ୍ଲାର କରନେଲଗଞ୍ଜ ଥାନା କ୍ଷେତ୍ର କରନେଲଗଞ୍ଜ-ହୁଜୁରପୁର ସଡକରେ ବାହୁବଳୀ ସାଂସଦ ବ୍ରଜ ଭୂଷଣ ଶରଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣଙ୍କ ପ୍ରଚାର ଗାଡି ହୁଜୁପୁର ଆଡକୁ ଯାଉଥିଲା । ଏହି ସମୟରେ ବୈକୁଣ୍ଠ ଡିଗ୍ରୀ କଲେଜ ନିକଟରେ ରାସ୍ତା ପାର୍ ହେଉଥିବା ୩ ବାଳକଙ୍କ ଉପରେ କରଣଙ୍କ ଏକ ପ୍ରଚାର ଗାଡି ଚଢିଯାଇଥିଲା । ଏହି ଘଟଣା ପରେ ନା ସେଠାରେ କରଣ ଭୂଷଣ ଅଟକି ପରିସ୍ଥତି ବିଷୟରେ ବୁଝିଥିଲେ ନା ତାଙ୍କର ଅନ୍ୟ କେହି ସହଯୋଗୀ ସେଠାରେ ଅଟକିଥିଲେ । ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଗୁରୁତର ବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଘଟଣାସ୍ଥଳରେ ଶହ ଶହ ଲୋକ ଏକତ୍ରୀତ ହୋଇ ରାସ୍ତା ବନ୍ଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

Get real time updates directly on you device, subscribe now.