fbpx

ଗଡିଲା କରମଣ୍ଡଳ, ହାତରେ ଭଗବାନଙ୍କ ମୂର୍ତ୍ତି ଧରି ଟ୍ରେନ୍ ରେ ଚଢିଲେ ଯାତ୍ରୀ

Advertisement

କୋଲକାତା:ଓଡିଶା ବାଲେଶ୍ୱରରେ ହୋଇଥିବା କରମଣ୍ଡଳ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଏଥିରେ ୩୦୦ ପାଖାପାଖି ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ସରକାରୀ ସ୍ତରରେ ଏହି ସଂଖ୍ୟା ପ୍ରକାଶ ପାଇଥିବା ବେଳେ ବେସରକାରୀ ସ୍ତରରେ ଏହି ସଂଖ୍ୟା ଆହୁରି ଅଧିକ । ଏହି ଦୁର୍ଘଟଣା ବହୁ ପରିବାରକୁ ଉଜାଡି ଦେଇଛି । ତେବେ ଉଦ୍ଧାର କାର୍ଯ୍ୟ ଶେଷ ପରେ ରେଳ ଟ୍ରାକ୍ ମରାମତି କରାଯାଇ ଏହି ଲାଇନ୍ ରେ ପୁଣି ରେଳ ଚଳାଚଳ ଆରମ୍ଭ କରିଛି । କିନ୍ତୁ ଟ୍ରେନ୍ ରେ ଯାତ୍ରା କରିବା ନେଇ ଯାତ୍ରୀଙ୍କ ମନରେ ଭୟ ଓ ଆଶଙ୍କା ଭରି ରହିଛି ।

ଏପରି ସ୍ଥିତିରେ ଆଜି ପଶ୍ଚିମବଙ୍ଗର ଶାଲିମାରରୁ କରମଣ୍ଡଳ ଏକ୍ସପ୍ରେସ୍ ତାମିଲନାଡୁର ଚେନ୍ନାଇକୁ ଯାତ୍ରା ଆରମ୍ଭ କରିଛି । ତେବେ ଏତେ ବଡ ଦୁର୍ଘଟଣା ପରେ କରମଣ୍ଡଳରେ ପୁନର୍ବାର ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । କିଛି ଯାତ୍ରୀ ବହୁତ ଭୟଭୀତ ଜଣାପଡୁଥିବା ବେଳେ ଆଉ କିଛି କହିଛନ୍ତି ତାଙ୍କର ରେଲୱେ ଉପରେ ବହୁତ ଭରସା ରହିଛି ।

ତେବେ ଏହି କ୍ରମରେ ଆଉ ଏକ ବିଚିତ୍ର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ତାହା ହେଉଛି କିଛି ଯାତ୍ରୀ ଟ୍ରେନ୍ ରେ ଭଗବାନଙ୍କ ମୂର୍ତ୍ତି ଧରି ଯାତ୍ରା କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨  ଜୁନ୍ ରେ ହୋଇଥିବା ଦୁର୍ଘଟଣା ପରେ ବାହାନଗା ରେଳ ଷ୍ଟେସନରୁ ୫ ଜୁନ୍ ରେ ପ୍ରଥମ ଥର ଫୁଲ୍ ସ୍ପିଡ୍ ରେ ଟ୍ରେନ୍ ଯାତ୍ରା କରିଥିଲା । ସକାଳ ସାଢେ ୯ରେ ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରଥମ ଟ୍ରେନ୍ ଥିଲା ଯାହା ଟ୍ରାକ୍ ଠିକ୍ ହେବା ପରେ ଫୁଲ୍ ସ୍ପିଡ୍ରେ ଯାତ୍ରା ଆରମ୍ଭ କରିଥିଲା ।

Get real time updates directly on you device, subscribe now.