fbpx
BSKY SKY
BSKY SKY

ଓଡ଼ିଶା ଉପରେ ଖାଲି ବିପଦ ଉପରେ ବିପଦ: ସତେ ଯେପରି ମାତିଛି କରୋନା ଭାଇରସ୍, ଟ୍ରେନ ନେଉଛି ଗୋଟିଏ ପରେ ଗୋଟିଏ ଜୀବନ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହେ ଈଶ୍ୱର, ମୋ ଓଡ଼ିଶା ପ୍ରତି ସହାୟ ହୁଅ । କି ଦୋଷ କରିଛନ୍ତି ଓଡ଼ିଶାବାସୀ । କାହିଁକି ମୋ ରାଜ୍ୟ ଉପରେ ଏପରି ଶନିଦଶା ପଡ଼ିଛି । ଗତ ୨ ତାରିଖରେ ଟ୍ରେନ ରୂପୀ ଲୌହ ଦାନବ ୨୮୮ ଜଣଙ୍କ ଜୀବନ ନେବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ବିପଦ ସମୟରେ ବାଲେଶ୍ୱରର ମୋର ଭାଇମାନଙ୍କର ଆପ୍ରାଣ ଉଦ୍ୟମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପରିଚାଳନା ପାଇଁ ବହୁ ଯାତ୍ରୀଙ୍କର ଜୀବନ ବଞ୍ଚିପାରିଥିଲା ।

ଏତିକିରେ ମନ ବୁଝିଲା ନାହିଁ, ପୁଣି ଦେଖିବାକୁ ମିଳିଥିଲା ଆଉ ଏକ ଦୁର୍ଘଟଣା । ଗତ ୫ ତାରିଖରେ ବରଗଡ଼ରେ ଦୁର୍ଘଟଣାର ଶିକାର ହୋଇଥିଲା ଏକ ମାଲବାହୀ ଟ୍ରେନ । ମେଣ୍ଢାପାଲି ନିକଟରେ ଗୋଟିଏ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇ ଟ୍ରାକ ତଳକୁ ଖସି ପଡ଼ିଥିଲା । ଏହାପରେ ଗତ ୬ ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଆଉ ଏକ ଦୁର୍ଘଟଣା । ସର୍ଟ ସର୍କିଟ କାରଣରୁ ଟ୍ରେନରୁ ଧୂଆଁ ବାହାରୁଥିବା ନେଇ ମିଳିଥିଲା ସୂଚନା ।

ଦୁଃଖ ଏତିକିରେ ସରିନାହିଁ । ଆଜି ପୁଣି ରାଜ୍ୟର ଯାଜପୁର ରୋଡ଼ ଷ୍ଟେସନରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ଏହି ଦୁର୍ଘଟଣାରେ ୬ ଜଣ ଶ୍ରମିକ ଭାଇଙ୍କର ମୃତ୍ୟୁ ଘଟିଛି । ବର୍ଷା, ପବନରୁ ରକ୍ଷା ପାଇବା ପାଇଁ ଏକ ମାଲବାହୀ ଟ୍ରେନ ତଳେ ଆଶ୍ରୟ ନେଇଥିବା କିଛି ଶ୍ରମିକଙ୍କର ଜୀବନ ଚାଲିଯିବା ସହିତ ଆଉ କିଛି ଗୁରୁତର ରହିଛନ୍ତି । ପୂର୍ବରୁ ଠିଆ ହୋଇଥିବା ଟ୍ରେନଟି ହଠାତ୍ ଛାଡ଼ିଦେବାରୁ ଏହି ଅଘଟଣ ଘଟିଥିଲା ।

ତେବେ ଏହି ସବୁ ଦୁର୍ଘଟଣାର କରାଳ ରୂପକୁ ଦେଖିବା ପରେ ଲାଗୁଛି ସତେ ଯେମିତି ଓଡ଼ିଶାରେ ଟ୍ରେନ ଦୁର୍ଘଟଣା କରୋନା ଭାଇରସ ପରି ମାଡ଼ି ଚାଲିଛି । ଆଉ ଗୋଟିଏ ପରେ ଗୋଟିଏ ଜୀବନ ନେବାକୁ ଏହି ଟ୍ରେନ୍ ରୂପୀ ଭାଇରସ୍ ସତେ ଯେମିତି ପଣ କରିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏକାଧିକ ଦୁର୍ଘଟଣାକୁ ସାମ୍ନା କରିବା ପରେ ଲୋକଙ୍କ ମଧ୍ୟରେ ଟ୍ରେନକୁ ଦେଖି ଏକ ଭୟ ଜାଗ୍ରତ ହୋଇଛି । ଅନ୍ୟର ବିପଦ ବେଳେ ଓଡ଼ିଶାର ଜନତା ନିଜ ଜୀବନକୁ ବାଜିରେ ଲଗାଇ ସାହାଯ୍ୟ କରୁଛନ୍ତି । ତଥାପି ଓଡ଼ିଶାବାସୀଙ୍କ ପ୍ରତି କାହିଁକି ଏତେ ନିଷ୍ଠୁର ପ୍ରଭୁ । ହେ ଜଗନ୍ନାଥ, ମୋ ଓଡ଼ିଶାକୁ ଉଦ୍ଧାର କର । ଏଭଳି ବିପଦକୁ ସାମ୍ନା କରିବା ପାଇଁ ମୋ ରାଜ୍ୟବାସୀଙ୍କୁ ଶକ୍ତିଦିଅ ।

Get real time updates directly on you device, subscribe now.