fbpx

କରମଣ୍ଡଳ ଆଣିଲା ଦେଶ ପାଇଁ ସବୁଠାରୁ ବଡ଼ ଦୁଃଖ: ନୂଆ ସଂସଦ ଭବନ ଉଦଘାଟନ, ୨୦୦୦ ଟଙ୍କିଆ ନୋଟ ବନ୍ଦ ନିଷ୍ପତ୍ତି, ଦୁର୍ଘଟଣା ପାଇଁ ନରମିଗଲା ବିରୋଧୀଙ୍କ ସ୍ୱର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସ ୧୯ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଦେଶରେ ୨ ହଜାର ଟଙ୍କିଆ ନୋଟ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଜନସାଧାରଣ ଏହି ନୋଟକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ନୋଟ ଏକ୍ସଚେଞ୍ଜ ନେଇ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥିଲା । ଫଳରେ ଏନେଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବୟାନ୍ ଜାରି କରାଯାଇଥିଲା ।

ତେବେ ଗତ ୨୦୧୬ ମସିହାରେ ଦେଶରେ ବିମୁଦ୍ରୀକରଣ ଘୋଷଣା ହୋଇଥିବା ବେଳେ ପୁଣି ୨୦୨୩ରେ ୨ ହଜାର ଟଙ୍କିଆ ବନ୍ଦ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କ ଉପରେ ବିରୋଧୀମାନେ ବର୍ଷିଥିଲେ । ୨୦୧୬ ମସିହା ନଭେମ୍ବର ୮ ତାରିଖରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଂଗ୍ରେସ ବର୍ଷିଥିଲା । ସେହିପରି ୨ ହଜାର ଟଙ୍କିଆ ନୋଟ ଆସିଲେ ଦେଶରେ ଭ୍ରଷ୍ଟାଚାର ଲୋପ ପାଇଯିବ ବୋଲି ବିଜେପି ସରକାର କହିଥିଲା ମାତ୍ର ତାହା ହୋଇନାହିଁ ବୋଲି ଆମ୍ ଆଦମୀ ପାର୍ଟି (ଆପ) ଅଭିଯୋଗ କରିଥିଲା ।

ସେହିପରି ଗତ ମାସ ୨୮ ତାରିଖରେ ପିଏମ୍ ମୋଦୀ ନୂଆ ସଂସଦ ଭବନ ଉଦଘାଟନ କରିବା ପୂର୍ବରୁ ସାରା ଦେଶରେ ବିରୋଧୀଙ୍କ ସ୍ୱର କଠିନ ହେବାରେ ଲାଗିଥିଲା । ଏହି ଉତ୍ସବକୁ ବହୁ ରାଜନୈତିକ ଦଳ ବହିଷ୍କାର କରିଥିବା ବେଳେ ଏହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ ବୋଲି ବିରୋଧୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ହିଁ ନୂଆ ସଂସଦ ଭବନକୁ ଉଦଘାଟନ କରିବା ଉଚିତ, ପ୍ରଧାନମନ୍ତ୍ରୀ ନୁହନ୍ତି ବୋଲି କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା ।

ତେବେ ଏହା ମଧ୍ୟରେ ଜୁନ ୨ରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିଗା ଏକ ବଡ଼ ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । କିଏ ବାପାକୁ ତ ଆଉ କିଏ ପୁଅକୁ, ଆଉ କିଏ ସ୍ୱାମୀକୁ ହରାଇ ଆଜି କାନ୍ଦୁଛି । ଏବେ ବି ଅନେକ ଶବ ଚିହ୍ନଟ ପ୍ରକ୍ରିୟା ହୋଇନଥିବା ବେଳେ ଆହତମାନେ ଏବେ ଦୁର୍ଘଟଣା ବେଳକୁ ଦୃଶ୍ୟକୁ ମନେପକାଇ ମାନସିକ ରୋଗୀ ପାଲଟି ଯାଇଛନ୍ତି । ତେବେ ଏହି ଦୁଃଖଦ ଘଟଣା ପାଇଁ ଦେଶରେ ଦେଖାଦେଇଥିବା ନୂଆ ସଂସଦ ଭବନ ଓ ୨ ହଜାର ଟଙ୍କିଆ ନୋଟ ବିରୋଧୀ ହାୱା ଏବେ ଏବେ ପୂରା ଥମି ଯାଇଛି । ଦେଶର ସବୁ ସମସ୍ୟା ଓ ସବୁ ଦୁଃଖକୁ ସତେ ଯେମିତି କରମଣ୍ଡଳ ହଜାଇ ସବୁଠାରୁ ବଡ଼ ଦୁଃଖ ପାଲଟି ଯାଇଛି ।

Get real time updates directly on you device, subscribe now.