fbpx
BSKY
BJD SHG SKY
BJD MC SKY

୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର ! ଟିକା ନେଇଥିବା ବ୍ୟକ୍ତି ହେବେ ସଂକ୍ରମିତ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ନଥିଲେ ମଧ୍ୟ ଦେଶର କେତେକ ରାଜ୍ୟରେ ଏହା ଉପରମୁହାଁ ହେଉଥିବାରୁ ରାଜ୍ୟବାସୀ ସତର୍କ ରହିବାପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଓଡ଼ିଶାକୁ ସଂକ୍ରମଣ ପ୍ରବେଶ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଆସନ୍ତା ୧୫ ଦିନ ଭିତରେ ଚତୁର୍ଥ ଲହର ପ୍ରବେଶ କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଟିକା ନେଇନଥିବା ବ୍ୟକ୍ତି ବିଶେଷ ତଥା ଗୁରୁତର ରୋଗୀ ଏହି ଲହରରେ ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନେ ଦ୍ୱିତୀୟ ଡୋଜ୍‌ ଏବଂ ବୁଷ୍ଟର ଡୋଜ୍‌ ନେଇନାହାନ୍ତି ସେମାନେ ଯଥାଶୀଘ୍ର ଏହା ନେଇଯିବା ଉଚିତ୍‌ ବୋଲି ସେ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମିତ ହେଲେ ମଧ୍ୟ ମୃତ୍ୟୁହାର ବହୁତ କମ୍‌ ରହିବ । ଦେଶରେ ମହାରାଷ୍ଟ୍ର ଓ ଦିଲ୍ଳୀରେ ଚିହ୍ନଟ ହୋଇଥିବା ଭାରିଆଣ୍ଟ ଓଡ଼ିଶାକୁ ଆସିବାର ସମ୍ଭାବନା ଯଥେଷ୍ଟ ରହିଛି । ତେବେ ଓଡ଼ିଶାରେ ଲୋକଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଥିବାରୁ ଏନେଇ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବା ଜରୁରି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏ କ୍ଷେତ୍ରରେ ସଦାସର୍ବଦା ମାସ୍କ ପରିଧାନ ମଧ୍ୟ ଜରୁରି । ଗହଳି ସ୍ଥାନକୁ ଯିବାବେଳେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଜରୁରି । ଅନ୍ୟପକ୍ଷରେ ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୩ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଲଗାତାର ଚତୁର୍ଥ ଦିନ ଲାଗି ଦେଶରେ କରୋନା ସଂକ୍ରମଣ ଦୁଇ ହଜାରରୁ ଅଧିକ ରହିଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ଦେଶରେ ପଜିଟିଭିଟି ହାର ବର୍ତ୍ତମାନ ୦.୫୬ ରହିଥିବାବେଳେ ଗତ ୨୪ ଘଣ୍ଟାରେ ୧୬୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ସ୍ଥିତି କିନ୍ତୁ ଯଥେଷ୍ଟ ଭଲ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଶୂନରୁ ୧୮ ବର୍ଷ ବୟସର କେହିବି ସଂକ୍ରମିତ ହୋଇନାହାନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଆକ୍ଟିଭ୍‌ କେସ ୧୦୦ ତଳେ ରହିଛି ।

Get real time updates directly on you device, subscribe now.