ରାଉରକେଲା(ଓଡ଼ିଶା ଭାସ୍କର): କରୋନାର ନିଜର କାୟା ପୁଣି ବିସ୍ତାର କରିବାରେ ଲାଗିଲାଣି । ଏହାରି ମଧ୍ୟରେ ରାଉରକେଲା ଏନଆଇଟିର ୩ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ଜଣେ ଜଣେ ଛାତ୍ରୀଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ଏନଆଇଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ୩ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ।
ତେବେ ରାଜ୍ୟରେ ଆଜି ୪୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୯୮୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୧୦୯ ରହିଥିବା ବେଳେ ୨ ହଜାର ୩୫୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।