fbpx

ମେଡିକାଲ କଲେଜରେ ‘କରୋନା ବୋମା’; ୬୬ ଛାତ୍ର ପଜିଟିଭ୍, ୨ ଟି ହଷ୍ଟେଲ ସିଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ଏସଡିଏମ ମେଡିକାଲ କଲେଜରୁ ୬୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେ ସଂଖ୍ୟାରେ ଛାତ୍ର କରୋନାର ଶିକାର ହେବାରୁ ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଛି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ କଲେଜ ବିଲ୍ଡିଂର ୨ଟି ହଷ୍ଟେଲକୁ ସିଲ୍ କରିଛି । ଏହି କଲେଜରରେ ମୋଟ ୪୦୦ ଛାତ୍ର ପାଠ ପଢ଼ୁଥିଲେ ।

କୁହାଯାଉଛି ଯେ, କିଛି ଛାତ୍ର କରୋନାର ଶିକାର ହେବା ପରେ ମେଡିକାଲ କଲେଜ ଦ୍ୱାରା ସମସ୍ତଙ୍କ କରୋନା ଟେଷ୍ଟ ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା ୩୦୦ ଜଣଙ୍କର ନମୁନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହା ପୂର୍ବରୁ ଅନେକ କଲେଜ ଓ ସ୍କୁଲରେ କରୋନା ବୋମା ଫୁଟିଥିଲା । ରାଜସ୍ଥାନର ଉଦୟପୁରର ଏକ ସ୍କୁଲରୁ ୧୧ ଛାତ୍ର ପଜିଟିଭ ହୋଇଥିବା ବେଳେ ତେଲେଙ୍ଗାନାର ଏକ ସ୍କୁଲରୁ ୨୮ ଜଣ ଛାତ୍ରୀ କରୋନାର ଶିକାର ହୋଇଥିଲେ । ଏହା ସହିତ ଓଡ଼ିଶାର ଅନେକ ସ୍କୁଲରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ସୁଦ୍ଧା କରୋନାର ତୃତୀୟ ଲହର ଆସିନାହିଁ ସତ, କିନ୍ତୁ ଏବେଠାରୁ ଶିଶୁ ଓ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ କରୋନାର ଶିକାର ହେବାରେ ଲାଗିଛନ୍ତି । ପ୍ରତ୍ୟେକ ଦିନ ଅନେକ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲାଚାଲିଥିବା ବେଳେ କରୋନା ମାମଲା ବଢ଼ିବାରେ ଲାଗିଛି । କିଛି ବିଶେଷଜ୍ଞଙ୍କ ମତରେ, ଏବେଠାରୁ ପିଲାମାନଙ୍କୁ ଟିକା ଲଗାଇବା ଉଚିତ୍ ।

Get real time updates directly on you device, subscribe now.