fbpx

କରୋନା କହର: ଅଗଷ୍ଟ ସୁଦ୍ଧା ଦେଶରେ ୩ ଲକ୍ଷ ଲୋକଙ୍କ ହେବ ଅକାଳ ମୃତ୍ୟୁ!

ନୂଆଦିଲ୍ଲୀ, ୨୪ା୪ : ଭାରତରେ କରୋନା ମହାମାରୀ ପୁଣି ତାଣ୍ଡବ ଆରମ୍ଭ କରିସାରିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଜୀବନ ହାନି ଘଟୁଛି । ସେପଟେ ମୃତ୍ୟୁ ପରିମାଣ ବଢ଼ୁଥିବାରୁ ଶବସତ୍କାର କରିବା ପାଇଁ ସ୍ଥାନ କମ୍ ପଡୁଛି । ତା ଉପରେ ପୁଣି ଏମିତି ପରିସ୍ଥିତି ଉପୁଜିଛି ଯେ, ହସ୍ପିଟାଲ ମାନଙ୍କ ରେ ବେଡ୍ କମ୍ ପଡୁଛି ଏବଂ ରୋଗୀଙ୍କ ପାଇଁ ଅକ୍ସିଜେନର ଅଭାବ ଦେଖାଦେଲାଣି । ତେଣୁ ଅକ୍ସିଜେନ୍ ଅଭାବରେ ପ୍ରତିଦିନ ଲୋକଙ୍କ ଜୀବନ ଯାଉଛି । ଏହା ଭିତରେ ଏବେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଦାବି ସହିତ କୁହାଯାଇଛି ଯେ, ଆଉ କିଛି ଦିନ ମଧ୍ୟରେ ଭୁତାଣୁର ପ୍ରଭାବ ଆହୁରି ବଢ଼ିବ ଏବଂ ମେ ମାସରେ ଦୈନିକ ୫୦୦୦ ଲୋକଙ୍କର ମୃତ୍ୟୁ ହେବ । ଏଥିସହିତ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ ହେବ ।


ଏନେଇ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ମେଟ୍ରିକ୍ସ ଏବଂ ମୂଲ୍ୟାଙ୍କନ ପ୍ରତିଷ୍ଠାନ ପକ୍ଷରୁ କୋଭିଡର ଆଗାମୀ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇଛି । ୧୫ ଏପ୍ରିଲ୍ ରେ ପ୍ରକାଶିତ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ, କୋଭିଡ୍ ର ଦ୍ୱିତୀୟ ଲହର ଲମ୍ବା ସମୟ ପର୍ଯ୍ୟନ୍ତ ଜାରି ରହିବ । ଏଥିସହିତ ମହାମାରୀ ଆଗକୁ ଆହୁରି ଭୟଙ୍କର ରୁପ ନେବ । ଯାହା ଫଳରେ ଅନେକ ଲୋକଙ୍କ ଜୀବନ ହାନି ଘଟିବ । ସେହିପରି ମେ ମାସରେ କୋଭିଡ୍ ର ମାତ୍ରା ଏତେ ବଢ଼ିଯିବ ଯେ, ଦୈନିକ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ । ମହାମାରୀର ପ୍ରଭାବ ବଢ଼ିବା ସହିତ ଏହା ଦେଶର ଜନସଂଖ୍ୟା ଉପରେ ମଧ୍ୟ ସାଂଘାତିକ ପ୍ରଭାବ ପକାଇବ ।

ସୁଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୫ ହଜାରରୁ ଅଧିକ ନୁଆ ମାମଲା ଚିହ୍ନଟ ହୋଇଛନ୍ତି ଏବଂ ୨୬୦୦ ଲୋକଙ୍କ ମୃତ୍ୟୁ ହୋଇଛି । ନୁଆ ମାମଲାକୁ ମିଶାଇ ସକ୍ରିୟଙ୍କ ସଂଖ୍ୟା ୨୫.୫୦ ଲକ୍ଷରେ ପହଞ୍ଚିଛି ।

Get real time updates directly on you device, subscribe now.