fbpx

ଥଣ୍ଡା ବଢିବା ସହ ବଢୁଛି କରୋନା ମାମଲା, ଭାରତରେ କ’ଣ ରହିଛି ସ୍ଥିତି ଜାଣି ନିଅନ୍ତୁ

ନୂଆଦିଲ୍ଲୀ:ଦୀର୍ଘ ୨ ବର୍ଷରୁ ଅଧିକ ସମୟ କରୋନା ସହ ଲଢିବା ପରେ ସାରା ବିଶ୍ୱରେ ପରିସ୍ଥିତି ପୁନର୍ବାର ସ୍ୱଭାବିକ ହେବାକୁ ବସିଥିବା ବେଳେ ଏବେ ପୁଣି ଥଣ୍ଡା ବଢିବା ସହିତ କରୋନାର ବିପଦ ଘନେଇ ଆସିଲାଣି । ଗତ କିଛି ସପ୍ତାହ ମଧ୍ୟରେ ଆମେରିକାରେ କରୋନା ସଂକ୍ରମିତଙ୍କ ହସ୍ପିଟାଲାଇଜ୍ ହେବା ମାମଲା ବୃଦ୍ଧି ପାଇଛି । ୧୧ ନଭେମ୍ବର ସୁଦ୍ଧା ଗୋଟିଏ ସପ୍ତାହ ମଧ୍ୟରେ ଆମେରିକାରେ ୧୬୨୩୯ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହିପରି ଭାବରେ କରୋନା ମାମଲାରେ ୮.୬% ବୃଦ୍ଧି ପରିଲକ୍ଷିତ ହୋଇଛି । ଏବେ ଆମେରିକାର ୧୪ ପ୍ରଦେଶରେ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଆମେରିକାର ଅପର ମିଡ୍ ୱେଷ୍ଟ, ସାଉଥ୍ ଆଟଲାଣ୍ଟିକ ଓ ସଦର୍ଣ୍ଣ ମାଉଣ୍ଟେନରେ କରୋନା କେସ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯେତେ ଯେତେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି ସେତେ ସେତେ କରୋନା ସଂକ୍ରମଣ ବି ବୃଦ୍ଧି ପାଇବାରେ ଲାଗିଛି । ୨୦୨୦ର ଏକ ସର୍ଭେରୁ ଜଣାପଡିଛି କି କରୋନା ଭାଇରସ୍ ଥଣ୍ଡାରେ ଅଧିକ ବ୍ୟାପିଥାଏ ।

ଆମେରିକାରେ ଜୁନ୍ ପରେ ସେପ୍ଟେମ୍ବର ପର୍ଯ୍ୟନ୍ତ ବି କରୋନା ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି । କିନ୍ତୁ ଅକ୍ଟୋବରରେ କରୋନା କେସ୍‌ରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ବିଶେଷଜ୍ଞଙ୍କ ମତରେ ଯେଉଁସବୁ ଅଞ୍ଚଳରେ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉ ନାହାନ୍ତି ସେଠାରେ ବି କରୋନାର ମାମଲାର ବୃଦ୍ଧି ପାଉଛି କିନ୍ତୁ ରିପୋର୍ଟ ସାମ୍ନାକୁ ଆସୁନାହିଁ ।

ତେବେ କେବଳ ଆମେରିକାରେ ନୁହେଁ ଚୀନ୍‌ରେ ବି ପୁନର୍ବାର କରୋନା ଏକ ଆହ୍ୱାନ ପାଲଟିବାରେ ଲାଗିଲାଣି । ଏଠାରେ ପୁନର୍ବାର ଅଧିକରୁ ଅଧିକ ଟୀକାକରଣ ଲାଗି ଲୋକଙ୍କୁ ଆହ୍ୱାନ କରାଯାଉଛି । ଗତ ଅକ୍ଟୋବର ମାସରେ କରୋନାରେ ଏଠାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଏହା କରୋନାର ଏକ୍ସଏକ୍ସଭି ଭେରିଆଣ୍ଟ ଥିଲା । ଏହି ଭେରିଆଣ୍ଟ ଥଣ୍ଡା ସମୟରେ ବେଶୀ ସକ୍ରିୟ ହୋଇଥାନ୍ତି । କୁହାଯାଉଛି ଚୀନ୍‌ରେ ଯେଉଁ କରୋନା ଟୀକା ତିଆରି ହୋଇଛି ତାହାର ପ୍ରଭାବ କମ୍ ରହିଛି ।

ଅନ୍ୟପକ୍ଷରେ ଭାରତରେ ଏବେ କରୋନାର ପ୍ରଭାବ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୬ରୁ ୨୦ ମାମଲା ସାମ୍ନାକୁ ଆସିଛି । ତେବେ ଏଠାରେ ସୂଚାଇ ଦିଆଯାଇପାରେ କି କରୋନା ଲହରରେ ଦେଶରେ ୫.୩୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ତେବେ ବିଶେଷଜ୍ଞଙ୍କ ମତ ଭାରତରେ କରୋନାର ବିପଦ ଏବେ ନାହିଁ ।

Get real time updates directly on you device, subscribe now.