fbpx

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରୋନ୍‌’, ୭ଗୁଣା ଦ୍ରୁତ ଗତିରେ ବ୍ୟାପିବାର ରହିଛି କ୍ଷମତା : ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ବିଦେଶରେ କୋଭିଡ଼ର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ବିଦେଶରୁ ଆସୁଥିବା ଲୋକଙ୍କ ପ୍ରତି କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍‌ମେଣ୍ଟ ଓ ଟିକାକରଣ ଉପରେ ଫୋକସ୍‌ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିନୋମ୍‌ ସିକ୍ୟୁଏନ୍ସିଂ ପାଇଁ ନିୟମିତ ଭାବେ ଆର୍‌ଟି-ପିସିଆର୍‌ ସାମ୍ପୁଲ ପଠାଇବାକୁ ଚିଠିରେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ । ସ୍କୁଲ, କଲେଜ, ହଷ୍ଟେଲଗୁଡ଼ିକରେ କରୋନା ସ୍ଥିତି ନେଇ ନଜର ରଖିବାକୁ ବି ପରାମର୍ଶ ଦିଆଯାଇଛି । କେହି ଯଦି କୋଭିଡ଼ ନିୟମ ନମାନନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ କରୋନାର ଅନ୍ୟ ଭାରିଆଣ୍ଟଠାରୁ ଅଧିକ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଏପରିକି ଏହି ନୂଆ ଭାରିଆଣ୍ଟ୍‌ ଉପରେ ଟିକାର କୌଣସି ପ୍ରଭାବ ପଡୁ ନଥିବାରୁ ଆହୁରି ଚିନ୍ତା ବଢ଼ିଛି । ଡେଲ୍ଟା ଭାରିଏଣ୍ଟ ଠାରୁ ମଧ୍ୟ ଏହା ୭ ଗୁଣା ଦ୍ରୁତ ଗତିରେ ବ୍ୟାପିବାର କ୍ଷମତା ରଖିଥିବା ଜଣାପଡ଼ିଛି । ଯଦି ଏହା ଆହୁରି ଅଧିକ ସଂକ୍ରମାକ ହୋଇ ଭାରତକୁ ପ୍ରବେଶ କରେ ତେବେ କରୋନାର ତୃତୀୟ ଲହରୀ ଆରମ୍ଭ ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

Get real time updates directly on you device, subscribe now.