ନୂଆଦିଲ୍ଲୀ, ୩ା୭: ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏମିତିକି କରୋନା ପ୍ରତିଷେଧକ ଟୀକା ମଧ୍ୟ ସତଚେଷ୍ଟା ପରେ ମଧ୍ୟ ଏପର୍ଯ୍ୟନ୍ତ ବାହାରି ପାରିନଥିଲା । କିନ୍ତୁ ଏହାରି ମଧ୍ୟରେ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି । ଅଗଷ୍ଟ ୧୫ରେ କରୋନା ଭ୍ୟାକସିନ ଆସିପାରେ ବୋଲି ଜଣାପଡ଼ିଛି । କରୋନା ଟୀକା କୋଭାକ୍ସିନ ଫାର୍ମାସ୍ୟୁଟିକାଲ କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭାରତ ବାୟୋଟେକ ଏବଂ ଆଇସିଏମଆରରୁ ଏହି ଟିକା ଲଞ୍ଚ ହେବାର ସମ୍ଭାବନା ରହିଛି । ଜୁଲାଇ ୭ରୁ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଯଦି ପ୍ରତ୍ୟେକ ପର୍ଯ୍ୟାୟରେ ସମସ୍ତ ପରୀକ୍ଷା ସଫଳ ହେବ ତେବେ ଅଗଷ୍ଟ ୧୫ରେ ଏହା ଲଞ୍ଚ ହୋଇପାରିବ ।
ଉଲ୍ଳେଖଯୋଗ୍ୟ ଯେ ହାଇଦ୍ରାବାଦ ସ୍ଥିତ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦାବି କରିଛି ଯେ ଏହା ପ୍ରଥମ ପର୍ଯ୍ୟାୟ ଓ ହ୍ୟୁମାନ ଟ୍ରାଏଲକୁ ମଧ୍ୟ ସବୁଜ ସଙ୍କେତ ମଧ୍ୟ ମିଳିଛି । ଜୁଲାଇ ୭ରୁ ହ୍ୟୁମାନ ଟ୍ରାଏଲ କରାଯିବ । ଅନ୍ୟପଟେ ଟିକାକରଣ ପ୍ରସ୍ତୁତ କରିବା ନେଇ ଭାରତ ବାୟୋଟେକର ଅଭିଜ୍ଞତା ରହିଛି । କୋଭାକ୍ସିନ ହେଉଛି ଭାରତର ବାୟୋଟିକ ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ୱଦେଶୀ ଟିକା । ହାଇଦ୍ରାବାଦର ଜେନୋମ ଭ୍ୟାଲିର ସବୁଠାରୁ ସୁରକ୍ଷିତ ଲ୍ୟାବରେ ଏହି ଟିକା ପ୍ରସ୍ତୁତ କରାଯାଇଛି ।
ତେବେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୨୫ହଜାର ୫୪୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮ହଜାର ୨୧୩ରେ ପହଞ୍ଚିଛି । ଏହାସହ ଆକ୍ରାନ୍ତଙ୍କ ମଧ୍ୟରୁ ୩ଲକ୍ଷ ୭୯ହଜାର ୮୯୧ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨ଲକ୍ଷ ୨୭ହଜାର ୪୩୯ଜଣ ଚିକିତ୍ସିତ ଅଛନ୍ତି ।