fbpx

ଯୁବ ଗୋଷ୍ଠୀଙ୍କ ଉପରେ ଅଧିକ ପ୍ରଭାବଶାଳୀ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କିପରି

ନୁଆଦିଲ୍ଲୀ ୧୦ା୪ (ଓଡିଶା ଭାସ୍କର) : କରୋନାର ଦ୍ୱିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ଯୁବ ଗୋଷ୍ଠୀ । ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ମନ୍ତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏନେଇ କୁହାଯାଇଛି । ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ୧୧ ରାଜ୍ୟ ମଧ୍ୟରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହୋଇଛନ୍ତି । ନ୍ୟାସନାଲ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ର ନିର୍ଦ୍ଦେଶକ ସୁଜିତ୍ ସିଂ ମନ୍ତ୍ରୀମାନଙ୍କୁ ଅବଗତ କରାଇଥିଲେ ଯେ, ୧୧ ରାଜ୍ୟର ସର୍ବାଧିକ ସଂକ୍ରମିତ ହୋଇଛନ୍ତି ୧୫ ରୁ ୪୪ ବର୍ଷର ବ୍ୟକ୍ତିସମୁହ । ସଂକ୍ରମଣ ବଢ଼ୁଥିବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି ଯୁବ ଗୋଷ୍ଠୀ । କରୋନାର ଦ୍ୱିତୀୟ ଲହର ଏମାନଙ୍କୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ କରିଛି । ଯାହା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି ।

ସୁଚନାଯୋଗ୍ୟ, କିଛି ବ୍ୟବଧାନ ପରେ କରୋନା ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି । ତେଣୁ କେନ୍ଦ୍ର ସରକାର ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି । ଏଥିସହିତ ଟିକା ଅଭାବ ଦେଖା ଦେଉଥିବାରୁ ଏହାର ଉତ୍ପାଦନ ବଢ଼ାଇବାକୁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଉକ୍ତ ବୈଠକରେ ନୀତି ଆୟୋଗ ଜନସଂଖ୍ୟାକୁ ପ୍ରାଥମିକତା ଦେଇ ଟିକା ମହଜୁଦ ରଖିବା ପାଇଁ କହିଥିଲେ । ବର୍ତ୍ତମାନ ଦିଆଯାଉଥିବା ଟିକାର ପରିମାଣ ବଢ଼ାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ, ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.