ନୂଆଦିଲ୍ଲୀ : ଭାରତର ବଜାରରେ ଲିଭର ଏବଂ କ୍ୟାନସର ରୋଗୀଙ୍କ ପାଇଁ ନକଲି ଔଷଧ ସହ ଇଞ୍ଜକସନ ବିକ୍ରି ହେଉଛି । ଏନେଇ ଡିସିଜିଆଇ ସୂଚନା ଦେଇଛନ୍ତି । ଏଥିସହିତ ନକଲି ଔଷଧ ଏବଂ ଇଞ୍ଜକସନ ଉପରେ କଡ଼ା ନଜର ରଖିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ନକଲି ଔଷଧକୁ ନେଇ କିଛିଦିନ ପୂର୍ବରୁ ଆଲର୍ଟ ଜାରି କରିଥିଲା । ଏନେଇ ଡିସିଜିଆଇ ଗତ ୫ ତାରିଖରେ କହିଥିଲେ ଯେ, ଭାରତ ସମେତ ୪ଟି ଦେଶରେ ଏଭଳି କାରବାର ଚାଲିଛି । ଏହି ସବୁ ନକଲି ଔଷଧକୁ ଟେକଏଡା ଫାର୍ମାସ୍ୟୁଟିକାଲ କମ୍ପାନି ଲିମିଟେଡ ତିଆରି କରୁଛି । ନକଲି ଔଷଧକୁ ରୋଗୀମାନଙ୍କୁ ଘରୋଇ ଭାବରେ ପ୍ରଦାନ କରିବା ସହ ଅନଲାନ ମାଧ୍ୟମରେ ମଧ୍ୟ ବହୁଳ ପରିମାଣରେ ଯୋଗାଇ ଦିଆଯାଉଛି । ଏହି ସମସ୍ୟାକୁ କେନ୍ଦ୍ର କରି ଡିସିଜିଆଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି । ସେହି ଚିଠିରେ ୮ଟି ଔଷଧର ଭିନ୍ନ ଭର୍ସନ ବିକ୍ରି କରାଯାଉଥିବାର ଉଲ୍ଲେଖ କରାଯାଇଛି । ନକଲି ଔଷଧର କାରବାର ପାଇଁ ଡିସିଜିଆଇ ୪ତାରିଖରେ ସତର୍କସୂଚନା ଜାରି କରିଥିବା କଥା ମଧ୍ୟ ସେହି ଚିଠିରେ ଲେଖା ଯାଇଛି । ଏହି ସବୁ ଔଷଧର ନକଲି ଭର୍ସନ ଗତ ଏପ୍ରିଲରେ ଠାବ କରାଯାଇଥିଲା ।
ଡବ୍ଲୁଏଚଓ କହିଛି ଯେ, ଡିଫିଟେଲିୟୋର ନକଲି ଭର୍ସନ ଔଷଧ ବ୍ୟବହାର ଫଳରେ ରୋଗୀଙ୍କର ରୋଗ ଭଲ ହେବା ବଦଳରେ ଗମ୍ଭୀର ହୋଇଯାଉଛି । କେତେକ ପରିସ୍ଥିତିରେ ଏଭଳି ନକଲି ଔଷଧ ବ୍ୟବହାର ଫଳରେ ରୋଗୀଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ନକଲି ଔଷଧର ସୂଚନା ମିଳିବା ପରେ ଡିସିଜିଆଇ ଡାକ୍ତରମାନଙ୍କୁ ଔଷଧ ଲେଖିବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ରୋଗୀଙ୍କୁ ନକଲି ଔଷଧ ସମ୍ପର୍କରେ ସଚେତନ କରିବାକୁ ମଦ୍ୟ କୁହାଯାଇଛି ।