fbpx

ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ଶୁଣାଇଲେ ଦଣ୍ଡ: ଲୋକସଭା ନିର୍ବାଚନ ପୂର୍ବରୁ ଝଟକା

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶର ମେରଠ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ଏମପି-ଏମଏଲଏ କୋର୍ଟ ଦଣ୍ଡ ଶୁଣାଣି କରିଛନ୍ତି । ଏପରି ସ୍ଥିତିରେ ସାଂସଦ ଅଗ୍ରୱାଲଙ୍କୁ ନିର୍ବାଚନ ପୂର୍ବରୁ ଲାଗିଛି ଏକ ବଡ଼ ଝଟକା ।

ସୂଚନା ମୁତାବକ, ୨୦୧୨ ମସିହାରେ ଦିଲ୍ଲୀ ମେରଠ-ସେଣ୍ଟ୍ରାଲ ଟ୍ରେନକୁ ଅଟକାଇବା ମାମଲାରେ ସାଂସଦଙ୍କୁ ଏହି ଦଣ୍ଡାଦେଶ ହୋଇଛି । ଏହି ମାମଲାରେ ରାଜେନ୍ଦ୍ରଙ୍କ ଉପରେ ୨ ହଜାର ଟଙ୍କାର ଜରିମାନା ମଧ୍ୟ ଲାଗୁ କରାଯାଇଛି । ଏଥିସହିତ ଏହି ମାମଲା ଚାଲିବା ପର୍ଯ୍ୟନ୍ତ ରାଜେନ୍ଦ୍ର କଷ୍ଟଡିରେ ରହିବାକୁ କୋର୍ଟ କହିଛନ୍ତି । ଉକ୍ତ ଘଟଣାକୁ ନେଇ ଜିଆରପି ପକ୍ଷରୁ ରାଜେନ୍ଦ୍ର ଓ ବିଜେପିର କିଛି ନେତାଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା । ତେବେ ରାଜେନ୍ଦ୍ର ଏହି ଦଣ୍ଡାଦେଶ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଅପିଲ କରିବେ ବୋଲି ଜଣାପଡ଼ିଛି ।

ତେବେ ରାଜେନ୍ଦ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଫସାଇବାକୁ ଚେଷ୍ଟା କରାଯାଉଥିବା ରାଜେନ୍ଦ୍ରଙ୍କ ଓକିଲ କୋର୍ଟରେ କହିଥିଲେ । ରାଜେନ୍ଦ୍ର ମେରଠ ଲୋକସଭା ଆସନରୁ ଗତ ୧୫ ବର୍ଷ ଧରି ଜିତି ଆସୁଛନ୍ତି । ୨୦୦୯ ପରଠାରୁ ସେ ୩ ଥର ଉକ୍ତ ଆସନରେ ନିଜର ଦବଦବା ଜାହିର କରିଆସିଛନ୍ତି । ପିଲଖୁବାରେ ଜନ୍ମଗ୍ରହଣ କରିଥିବା ରାଜେନ୍ଦ୍ର ଗାଜିଆବାଦର ମୋଦୀ ନଗରରୁ ଫିଜିକ୍ସରେ ଏମଏସସି କରିଛନ୍ତି । ୨୦୦୭ ମସିହା ପର୍ଯ୍ୟନ୍ତ ସେ ବିଜେପିର କିଛି ରାଷ୍ଟ୍ରୀୟ ଓ ପ୍ରାଦେଶିକ ପଦରେ ରହି ଦାୟିତ୍ୱ ସମ୍ଭାଳିଥିଲେ ।

Get real time updates directly on you device, subscribe now.