fbpx

ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି: ଟ୍ୱିଟ୍ କରି ସୂଚନା ଦେଲେ ଅଦର ପୁନାୱାଲା

ନୂଆଦିଲ୍ଲୀ: ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାଭାକ୍ସକୁ ମିଳିଲା ଜରୁରୀକାଳୀନ ଅନୁମତି । ଓମିକ୍ରନ ଭୟ ମଧ୍ୟରେ ‘ହୁ’ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭାଭାକ୍ସକୁ ଜରୁରୀକଳୀନ ବ୍ୟବହାର ଅନୁମତି ଦେଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦର ପୁନାୱାଲା । ସେ କହିଛନ୍ତି କରୋନା ସହ ଲଢ଼େଇରେ ଆଉ ଏକ ବଡ଼ ନିଷ୍ପତି ନିଆଯାଇଛି । ସେ ଆହୁରି କହିଛନ୍ତି ଏହି କୋଭାଭାକ୍ସ ଭାକ୍ସିନ୍ ଅଧିକ ଶକ୍ତିଶାଳୀ ଏବଂ ସୁରକ୍ଷିତ ଅଟେ ।

ସୂଚନାଯୋଗ୍ୟ, କୋଭାଭାକ୍ସ ଭାକ୍ସିନକୁ ସିରମ ଇନଷ୍ଟିଚ୍ୟୁଟ ନୋଭାଭାକ୍ସ କମ୍ପାନୀ ସହ ମିଶି ତିଆରି କରିଛି । ଏପର୍ଯ୍ୟନ୍ତ କରାଯାଇଥିବା ଟ୍ରାଏଲରେ ଭାକ୍ସିନ୍ ସଫଳ ଏବଂ ପ୍ରଭାବୀ ହୋଇଛି, ଏହି କାରଣରୁ ୯ମ ଟିକାକୁ ‘ହୁ’ ମଞ୍ଜୁରୀ ଦେଇଛି ବୋଲି କହିଛନ୍ତି ଅଦର ପୁନାୱାଲା । ‘ହୁ’ର କହିବା ଅନୁଯାୟୀ ଗରିବ ଦେଶମାନଙ୍କୁ ଏହି ଭାକ୍ସିନ ଦ୍ୱାରା ବେଶ୍ ଫାଇଦା ହେବ ଏବଂ ସେଠାରେ କମ୍ ସମୟରେ ତ୍ୱରିତ ଟିକାକରଣ ହୋଇପାରିବ ।

ସେପଟେ ଟିକାକୁ ନେଇ ‘ହୁ’ର ଡାକ୍ତର ମାରିଙ୍ଗେଲା ସିମାଓ କହିଛନ୍ତି ଏହା ଏକ ଅସ୍ତ୍ର ଭାବେ କାମ କରିବ ଏବଂ ଏହା ଭାଇରସକୁ ଗମ୍ଭୀର ହେବରୁ ରକ୍ଷା କରିବ । ସେ କହିଛନ୍ତି ଏହାଦ୍ୱାରା ଗରିବ ଦେଶମାନଙ୍କରେ ଟିକାକରଣ ସ୍ଥିତିକୁ ସୁଧାରି ହେବ । ୪୧ ଦେଶ ଏମିତି ରହିଛି ଯେଉଁଠାରେ ୧୦% ରୁ ବି କମ୍ ଟିକାକରଣ ହୋଇପାରିଛି, ସେହିଭଳି ୯୮ ଦେଶ ଏପରି ରହିଛି ଯେଉଁଠାରେ ୪୦% ଟିକାକରଣ ହୋଇପାରିନାହିଁ ।

ନିକଟରେ ଏହି ଟିକାକୁ ଇଣ୍ଡୋନେସିଆ ଏବଂ ଫିଲିପିନ୍ସରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ଭାରତରେ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରାଯାଇଛି । ତେବେ ଭାକ୍ସିନ ର ଫୁଲ୍ ଲାଇସେନ୍ସ ମିଳିବା ପାଇଁ ଅପେକ୍ଷା ରହିଛି ବୋଲି କହିଛି କମ୍ପାନୀ ।

Get real time updates directly on you device, subscribe now.