କୋଭିଡ୍ ନେଇ ଆଜି ବଡ଼ ବୈଠକ; କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିପାରେ ଗାଇଡଲାଇନ
ଦେଶରେ ପୁଣି ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ । ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭିସିରେ ସାମିଲ ହେବେ ସବୁ ରାଜ୍ୟର ଅଧିକାରୀ । ଭୟଭୀତ ନହେବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ ।
ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତିକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଦିନ 12ଟାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଭିଡିଓ କନଫରେନ୍ସିଂରେ ପ୍ରତି ରାଜ୍ୟର ସ୍ବାସ୍ଥ୍ୟ ସଚିବ ଏବଂ ଅଧିକାରୀ ସାମିଲ ହେବେ ।
ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏପଟେ ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ସେପଟେ ଚିନ୍ତା ବଢ଼ାଇଲାଣି ଦେଶରେ 6 ସଂକ୍ରମିତଙ୍କ ମୃତ୍ୟୁ । ମହାରାଷ୍ଟ୍ରରୁ 3, କେରଳରୁ 2 ଓ କର୍ଣ୍ଣାଟକରେ ଜଣଙ୍କ ଜୀବନ ନେଇଛି କୋରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ୍ ଡଟ୍ ୱାନ୍ ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ , ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ଏହାପରେ ରହିଛି ମହାରାଷ୍ଟ୍ର ଓ ଦିଲ୍ଲୀ । ଏହାସହ ଦକ୍ଷିଣ ଭାରତ ରାଜ୍ୟରେ ମଧ୍ୟ ସଂକ୍ରମଣରେ ଲଗାମ୍ ଲାଗୁନି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିପାରେ ବୋଲି ଅନୁମାନ କରାଯାଉଛି ।