fbpx

ଦେଶର ୫ଟି ରାଜ୍ୟରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା, ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱକୁ ନିଜ ମାୟାଜାଲରେ କବଳିତ କରି ରଖିଥିବା କରୋନା ଭାଇରସ୍ ଇତିମଧ୍ୟରେ ହ୍ରାସ ପାଇଥିଲେ ହେଁ ଆଶଙ୍କା ହଟିନାହିଁ । ତେବେ ଏହା ମଧ୍ୟରେ ଚୀନ, ଉତ୍ତର କୋରିଆ ପରି କିଛି ଦେଶରେ କରୋନା ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ରାଜ୍ୟମାନଙ୍କୁ ସତର୍କ କରି ଦିଆଯାଇଛି ।

ଆଜି ଦେଶରୁ ୩ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ପୂର୍ବଦିନ ଅପେକ୍ଷା ଆଜି ସଂକ୍ରମଣ ୮.୯ ପ୍ରତିଶତ ବୃଦ୍ଧି ପାଇଛି । କେରଳରେ ସଂକ୍ରମଣ ୩୩.୯ ପ୍ରତିଶତ ବୃଦ୍ଧି ପାଇ ୧୩୭୦ ନୂଆ କେସ୍ ମିଳିଛି । ତେବେ କରୋନାର ସଂକ୍ରମଣ ବୃଦ୍ଧିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୫ଟି ରାଜ୍ୟକୁ ଚିଠି ଲେଖାଯାଇଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡ଼ୁ, ତେଲଙ୍ଗାନା, କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରହିଛନ୍ତି । ଏହି ସମସ୍ତ ରାଜ୍ୟମାନଙ୍କରେ କରୋନା ଓ ଇନଫ୍ଲୁଏଞ୍ଜା ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, କେରଳର ୧୧ଟି ଜିଲ୍ଲା, ତାମିଲନାଡ଼ୁର ୨ଟି ଜିଲ୍ଲା, ମହାରାଷ୍ଟ୍ରର ୬ଟି ଜିଲ୍ଲା, କର୍ଣ୍ଣାଟକର ଗୋଟିଏ ଜିଲ୍ଲା ଓ ତେଲଙ୍ଗାନାରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହି ସମସ୍ତ ରାଜ୍ୟମାନଙ୍କରେ କରୋନା ଟେଷ୍ଟିଂ ଜାରି ରଖିବାକୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ମହାରାଷ୍ଟ୍ରରେ ସଂକ୍ରମଣ ୧୦୪୫ ରହିଥିବା ବେଳେ ଆଜି ୧୧୩୪ ରହିଛି । ଏଥିସହିତ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.