fbpx

ଅଲିମ୍ପିକରେ ସାମିଲ୍ ହୋଇପାରେ କ୍ରିକେଟ୍, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କରୁଛି ସମୀକ୍ଷା

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟର ପ୍ରତ୍ୟାବର୍ତ୍ତନ ପରେ କ୍ରିକେଟକୁ ଅଲିମ୍ପିକରେ ଅନ୍ତର୍ଭୁକ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କ୍ରିକେଟ୍ ସହିତ ଆଠ ଅନ୍ୟ କ୍ରୀଡାକୁ ଅଲିମ୍ପିକର ୨୦୨୮ ସଂସ୍କରଣରେ ସାମିଲ୍ କରାଯିବା ଉପରେ ସମୀକ୍ଷା କରିବ। ୨୦୨୮ ଅଲିମ୍ପିକ ଲସ ଏଞ୍ଜେଲ୍ସ ଆୟୋଜିତ ହେବ। ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ କମିଟିର ଆୟୋଜନ କମିଟି ଆଇସିସିକୁ ନିଜର ପକ୍ଷ ରଖିବାକୁ କହିଛି। କ୍ରିକେଟକୁ ଅଲିମ୍ପିକରେ ସାମିଲ୍ କରାଯିବା ନେଇ ଚୂଡାନ୍ତ ନିର୍ଣ୍ଣୟ ୨୦୨୩ରେ ନିଆଯିବ। ଆଇସିସି ଏବଂ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଉଦ୍ୟମରୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟକୁ ସାମିଲ୍ କରାଯାଇଛି।

କ୍ରିକେଟ୍ ବ୍ୟତୀତ ଅଲିମ୍ପିକର ୨୦୨୮ ସଂସ୍କରଣରେ ଅନ୍ୟ ଆଠ କ୍ରୀଡାକୁ ମଧ୍ୟ ସାମିଲ୍ କରାଯାଇପାରେ। ଆଇଓସି ଏହାର ସମୀକ୍ଷା କରୁଛି। ଏହି କ୍ରୀଡାରେ ରହିଛି ବେସବଲ, ଫ୍ଲାଗ ଫୁଟବଲ୍, ବ୍ରେକ୍ ଡ୍ୟାନ୍ସିଂ, କରାଟେ, କିକ ବକ୍ସିଂ, ସ୍କ୍ଵାଶ, ଲାକ୍ରୋସ୍ ଏବଂ ମୋଟର ସ୍ପୋର୍ଟ। ଅଲିମ୍ପିକ କମିଟି ଫେବୃଆରୀରେ କହିଥିଲା ଯେ, ୨୦୨୮ ଅଲିମ୍ପିକରେ ମୋଟ୍ ୨୮ କ୍ରୀଡାକୁ ସାମିଲ୍ କରାଯିବ, ଯାହାର ଫୋକସ୍ ଯୁବ ବର୍ଗ ଉପରେ ରହିବ। ନୂତନ କ୍ରୀଡାକୁ ସାମିଲ୍ କରାଯିବା ନେଇ କମିଟି କହିଥିଲେ, ଏହା ଦେଖିବାକୁ ପଡିବ ଯେ, ଉକ୍ତ କ୍ରୀଡା ଅଲିମ୍ପିକ ପାଇଁ ଫିଟ୍ ରହୁଛି କି ନାହିଁ।

ଆଇସିସି ମଧ୍ୟ ସ୍ଵୀକାର କରିଛି ଯେ, କ୍ରିକେଟକୁ ମଧ୍ୟ ଅଲିମ୍ପିକରେ ସାମିଲ୍ କରାଯିବା ଉଚିତ୍। ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟର କ୍ରେଜ୍ ଏବଂ ଆକର୍ଷଣ ସବୁଠୁ ଅଧିକ ରହିଛି। ମଲଟିସ୍ପୋର୍ଟ୍ସ ଇଭେଣ୍ଟରେ ଖେଳିବା ଖେଳାଳିଙ୍କ ପାଇଁ ରୋମାଞ୍ଚକାରୀ ରହିଛି। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡାରେ କେବଳ ମହିଳା କ୍ରିକେଟକୁ ସାମିଲ୍ କରାଯାଇଛି। ଅଲିମ୍ପିକରେ ଉଭୟ ମହିଳା ଏବଂ ପୁରୁଷ କ୍ରିକେଟକୁ ସାମିଲ୍ କରାଯିବାର ଆଶା ରହିଛି।

Get real time updates directly on you device, subscribe now.