fbpx

ସଚିନ୍ କି ଗାଙ୍ଗୁଲି ନୁହେଁ, କୋହଲିଙ୍କ ପାଇଁ ଅଲିମ୍ପିକକୁ ଫେରିଲା କ୍ରିକେଟ: LA କ୍ରୀଡ଼ା ନିର୍ଦ୍ଦେଶକ କହିଲେ କାରଣ

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି କ୍ରିକେଟକୁ ଦେଇଛନ୍ତି ଆଉ ଏକ ନୂଆ ସଫଳତା । କ୍ରିକେଟ ଜଗତରେ ବର୍ତ୍ତମାନ ସର୍ବଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ସେ ଖୁବ ଆଗରେ ରହିଛନ୍ତି । ସବୁବେଳେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥାଏ । ତେବେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଲିମ୍ପିକରେ କ୍ରିକେଟକୁ ସାମିଲ କରିବାରେ ବିରାଟ କୋହଲିଙ୍କର ଏକ ବଡ଼ ହାତ ଥିବା କୁହାଯାଉଛି । କେବଳ ବିରାଟଙ୍କ ପାଇଁ ହିଁ ଅଲିମ୍ପିକରେ ସ୍ଥାନ ପାଇଛି କ୍ରିକେଟ ।

ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋ ହେଉଥିବା ବିଶ୍ୱର ତୃତୀୟ ଆଥଲେଟ ହେଉଛନ୍ତି ବିରାଟ କୋହଲି । ସୋସିଆଲ ମିଡିଆରେ ବିରାଟଙ୍କର ମୋଟ ୩୪୦ ମିଲିୟନ୍ ଫଲୋଅର୍ସ ରହିଛନ୍ତି । ତେବେ ଇଟାଲୀର ଏଲଏ୨୮ ସ୍ପୋର୍ଟସ ଡାଇରେକ୍ଟର ନିକୋଲୋ କେମ୍ପ୍ରିୟାନୀ କହିଛନ୍ତି ଯେ, ମୋତେ ଲାଗୁଛି ମୋ ବନ୍ଧୁ କୋହଲିଙ୍କ ସୋସିଆଲ ମିଡିଆ (ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ)ରେ ୩୪୦ ମିଲିୟନ୍ ଫଲୋଅର୍ସ ରହିଛନ୍ତି । ସବୁଠାରୁ ଅଧିକ ଫ୍ୟାନ୍ ଫଲୋଇଙ୍ଗ ଥିବା ଆଥଲେଟ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ । ଏହା ଲେମ୍ବ୍ରୋ ଜେମ୍ସ, ଟମ୍ ବ୍ରେଡୀ ଏବଂ ଟାଇଗର ଉଡ୍ସଙ୍କ ଫଲୋଅର୍ସଠାରୁ ମଧ୍ୟ ଅଧିକ । ତେବେ ଏହି କାରଣ ପାଇଁ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥାଇ ପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ଆସନ୍ତା ଅଲିମ୍ପିକ୍ସରେ ନୂଆ ୫ ଟି କ୍ରୀଡାକୁ ସାମିଲ କରିବା ପାଇଁ ଲସ୍ ଆଞ୍ଜେଲସ୍ -୨୮ ଆୟୋଜକ କମିଟି ସୁପାରିଶ କରଥିଲା । ଏହି ପ୍ରସ୍ତାବକୁ ୯୯ ଆଇଓସି ସଦସ୍ୟଙ୍କ ମଧ୍ୟରୁ କେବଳ ୨ ଜଣ ବିରୋଧ କରିଥିବା ବେଳେ ଅନ୍ୟ ସମସ୍ତେ ସମର୍ତନ ଜଣାଇଛନ୍ତି । ଏହା ପରେ ଆଇଓସି ସଭାପତି ଥୋମାସ୍ ବାଚ୍ ଅନ୍ୟ କ୍ରୀଡା ସହିତ ଅଲିମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବା ନେଇ ଘୋଷଣା କରିଛନ୍ତି। ଅଲିମ୍ପିକ୍ ଗେମ୍ସରେ ଟି -୨୦ ଫର୍ମାଟରେ କ୍ରିକେଟ୍ ଖେଳାଯିବ । ଏହା ବ୍ୟତୀତ, ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲ୍ ମଧ୍ୟ ଅଲିମ୍ପିକ୍ସରେ ସ୍ଥାନ ପାଇଛି ।

Get real time updates directly on you device, subscribe now.