fbpx
BSKY
BJD MC SKY
BJD MS SKY

ବିଶ୍ୱକପରେ ମାସ୍କ ପିନ୍ଧି ଖେଳିବେ ଉଭୟ ଦଳର କ୍ରିକେଟର! ଦୁଇ ଦଳ ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଖେଳାଯାଇପାରେ ଏକ ଐତିହାସିକ ମ୍ୟାଚ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଇତିହାସରେ ଲେଖାଯାଇପାରେ । କାରଣ ଏହି ମ୍ୟାଚରେ ଉଭୟ ଦେଶର ଖେଳାଳି ମାସ୍କ ପିନ୍ଧି ପଡ଼ିଆକୁ ଓହ୍ଲାଇପାରନ୍ତି । ପୂର୍ବରୁ ବିଶ୍ୱକପର କୌଣସି ମ୍ୟାଚରେ ଖେଳାଳିମାନେ ମାସ୍କ ପିନ୍ଧି ଖେଳୁଥିବା ଦେଖାଯାଇନାହିଁ । କିନ୍ତୁ ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ବାୟୁପ୍ରଦୂଷଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇପାରନ୍ତି ଶ୍ରୀଲଙ୍କା ଏବଂ ବାଂଲାଦେଶର କ୍ରିକେଟର ।

ନଭେମ୍ବର ୬ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ବାଂଲାଦେଶ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦୂଷଣ ଯୋଗୁଁ ମ୍ୟାଚକୁ ନେଇ ସଂକଟ ଦେଖା ଦେଇଛି । ବାୟୁ ପ୍ରଦୂଷଣ ଯୋଗୁଁ ଉଭୟ ଦେଶର ଖେଳାଳି ଅଭ୍ୟାସ ମଧ୍ୟ କରି ପାରି ନାହାନ୍ତି । ଶୁକ୍ରବାର ଦିନ ବାଂଲାଦେଶ ବିଷାକ୍ତ ପରିବେଶ ପାଇଁ ଅଭ୍ୟାସ ସେସନ୍ ରଦ୍ଦ କରିଥିବା ବେଳେ ଶ୍ରୀଲଙ୍କା ମଧ୍ୟ ଆଜି ଅଭ୍ୟାସ କରିବାରୁ ବିରତ ରହିଛି । ତେଣୁ ଆସନ୍ତା ୬ ତାରିଖ ଏଠାରେ ହେବାକୁ ଥିବା ମ୍ୟାଚରେ ଶ୍ରୀଲଙ୍କା ଏବଂ ବାଂଲାଦେଶର ଖେଳାଳି ମାସ୍କ ପିନ୍ଧି ପଡ଼ିଆକୁ ଓହ୍ଲାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏଭଳି ପରିସ୍ଥିତିକୁ ନେଇ ଆଇସିସିର ପ୍ରବକ୍ତା କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଉପରେ ଆମେ ଆକଳନ କରୁଛୁ । ଆଇସିସି ଏବଂ ବିସିସିଆଇ ସମସ୍ତ ଦଳର ସୁରକ୍ଷା ଏବଂ ସୁବିଧାକୁ ପ୍ରାଥମିକତା ଦେଇଛି । ତେବେ ଦିଲ୍ଲୀର ବାୟୁ ଗୁଣାବତ୍ତାକୁ ଦୃଷ୍ଟିରେ ରଖି ସ୍ତିତି ଆକଳନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଉଥିବା କହିଛନ୍ତି ପ୍ରବକ୍ତା । ତେବେ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ବାଂଲାଦେଶ ସେମିଫାଇନାଲରୁ ବାଦ୍ ପଡ଼ି ସାରିଥିବା ବେଳେ ଶ୍ରୀଲଙ୍କା ସଂଘର୍ଷ ଜାରି ରଖିଛି । ତେବେ ଆୟୋଜକ ଭାରତୀୟ ଦଳ ପ୍ରଥମ ଦଳ ଭାବରେ ୧୪ ପଏଣ୍ଟ ସହ ସେମି ଫାଇନାଲରେ ପ୍ରବେଶ କରିଛି ।

Get real time updates directly on you device, subscribe now.