fbpx

ସୌମ୍ୟଙ୍କ ମୃତ୍ୟୁ ମାମଲାରୁ ହଟିବ କି ପରଦା! ଆଜି କ୍ରାଇମସିନ୍ ବୁଲି ଦେଖିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଅଡୁଆ ସୁତା ପରି ଦିନକୁ ଦିନ ଆହୁରି ଛନ୍ଦି ହେବାକୁ ଲାଗିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ସୌମ୍ୟଙ୍କ ମୃତ୍ୟୁର କାରଣ ଜାଣିପାରିନଥିବା ବେଳେ ସନ୍ଦେହ ଘେରରେ ରହିଛି ୨ରୁ ୩ ଜଣଙ୍କ ନାଁ । ଏହାରି ମଧ୍ୟରେ ସୌମ୍ୟରଞ୍ଜନ ମୃତ୍ୟୁବରଣ କରିଥିବା ଘରକୁ ଆଜି କ୍ରାଇମବ୍ରାଞ୍ଚ ଯିବ । ପୋଲିସ ଉପସ୍ଥିତିରେ କ୍ରାଇମସିନର ତନାଘନା ହେବ ।

ଅନ୍ୟପଟେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ମିଳିତ ଜେରା କରିବ କ୍ରାଇମବ୍ରାଞ୍ଚ ଓ ପୋଲିସ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସେହିପରି ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନେଇଯାଉଥିବା ବେଳେ ଅଟକାଇଥିବା ମହିଳା ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା ହେବ । ଓଆଇସି ମମତା ପଣ୍ଡା ବିଦ୍ୟାଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି । ଏହି ଦୁଇ ଅଧିକାରୀଙ୍କୁ ଜେରା ପାଇଁ ସୌମ୍ୟଙ୍କ ବାପା ଦାବି କରିଥିଲେ ।

ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ କିପରି ହେଲା, ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇବାରେ ଲାଗିଛି ଏହି ମାମଲା । ମାମଲାରେ କାହା କଥାରେ ତାଳମେଳ ରହୁନି । ସୌମ୍ୟଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିବା ବେଳେ ବିଦ୍ୟାଙ୍କ ପିତା ଜ୍ୱାଇଁଙ୍କୁ ଦେବତା ବୋଲି କହିଛନ୍ତି । କିନ୍ତୁ ସୌମ୍ୟଙ୍କ ପିତା-ମାତା ବୋହୂର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୃତ୍ୟୁ ପୂର୍ବରୁ ସୌମ୍ୟ ସମ୍ପତ୍ତିର ଉଇଲ କରିଥିବା ମାମୁଁ କହିଛନ୍ତି । ପୁରା ମାମଲାରେ ଏବେ ସନ୍ଦେହ ଘେରରେ ରହିଛନ୍ତି ଗୁରୁଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ।

Get real time updates directly on you device, subscribe now.