fbpx

କ୍ରାଇମ୍ ସିଟି ପାଲଟିଯିବ ଭୁବନେଶ୍ୱର: ଗଳିକନ୍ଦିରେ ରାଜ୍ କରୁଛନ୍ତି ଅସାମାଜିକ ଗ୍ୟାଙ୍ଗ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେଲା ରାଜଧାନୀର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିବା ଦେଖିବାକୁ ମିଳୁଛି । ଗଳିକନ୍ଦିରେ ଖାଲି ହତ୍ୟା, ଲୁଟ୍, ଡକାୟତି, ଆକ୍ରମଣ ସତେ ଯେମିତି ଛାଇ ଯାଇଛି । ପ୍ରତ୍ୟେକ ଅଞ୍ଚଳ, ଛକମାନଙ୍କରେ ଅସାମାଜିକ ଯୁବକଙ୍କ ଗୋଷ୍ଠୀ ଦେଖିବାକୁ ମିଳୁଛି । ମୁଖ୍ୟ କଥା ହେଉଛି ଏହିସବୁ ଗ୍ରୁପରେ ନାବାଳକମାନେ ସାମିଲ ହେଉଥିବା ଖବର ମିଳୁଛି । ରାଜଧାନୀରେ କ୍ରାଇମର ନୂଆ ଟ୍ରେଡିଂ ବଢ଼ିଚାଲିଥିବା ବେଳେ ପ୍ରଶାସନ ନିଦା ବିଷ୍ଣୁ ସାଜିଛି । ଦଶ ପନ୍ଦରଟି ମୁଣ୍ଡ ଗଡ଼ିବା ପରେ ବୋଧେ ଏଥିପ୍ରତି ପୋଲିସର ନଜର ପଡ଼ିବ ।

ତେବେ ରାଜଧାନୀରେ ପୂର୍ବରୁ ସଂଘଟିତ ହୋଇଥିବା ଆକ୍ରମଣ ବା ହତ୍ୟକାଣ୍ଡକୁ ନଜର ପକାଇଲେ କିଛି ବିଶେଷ ତଥ୍ୟ ସାମ୍ନାକୁ ଆସୁଛି । ଭୁବନେଶ୍ୱରର ଅଧିକାଂଶ ଛକରେ ଏବେ ଫାଷ୍ଟ ଫୁଡ୍ ଦୋକାନ ବଢ଼ି ଚାଲିଥିବା ବେଳେ କିଛି ଯୁବଗୋଷ୍ଠୀ ଏହି ଅଞ୍ଚଳମାନଙ୍କରେ ଅନ୍ଧାରୁଆ ଜାଗା ଦେଖି ଖଟି ଜମାଉଛନ୍ତି । ସେମାନେ ଖଟିକୁ ମାରଣାସ୍ତ୍ର ନେଇ ଆସୁଥିବା ବେଳେ ବ୍ରାଉନସୁଗର, ମଦ, ଗଞ୍ଜେଇ, ଚରସ ଭଳି ମାଦକ ଦ୍ରବ୍ୟ ସେବନ କରୁଛନ୍ତି । ଯଦି କାହା ସହ ଟିକିଏ ଯୁକ୍ତିତର୍କ ହୁଏ, ସଙ୍ଗେ ସଙ୍ଗେ ମାରଣାସ୍ତ୍ର ପ୍ରହାର କରିବାକୁ ପଛାଉ ନାହାନ୍ତି । ପରିସ୍ଥିତି ଏପରି ହେଲାଣି ଯେ ରାତି ତ ଛାଡ଼, ଦିନରେ ମଧ୍ୟ ରାସ୍ତାଘାଟରେ କାହା ସହ କଥା ହେବାକୁ ଡର ଲାଗୁଛି । ରାଜଧାନୀରେ ଯେଉଁମାନେ ଆକ୍ରମଣର ଶିକାର ହେଉଛନ୍ତି, ଅଧିକାଂଶ ଶିକାର ଓ ଶିକାରୀଙ୍କ ବୟସ ୨୦ ବର୍ଷରୁ କମ୍ । ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରାକୁ ନେଇ ଅନେକ ଗାଙ୍ଗୱାର ଦେଖିବାକୁ ମିଳିଲାଣି । କିଛିଦିନ ପୂର୍ବରୁ କେବିଏନ୍ ଗ୍ରୁପର ସଦସ୍ୟମାରେ ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିଲେ । ଜନଗହଳିପୂର୍ଣ୍ଣ ସ୍ଥାନରେ ସଂଘବଦ୍ଧ ହୋଇ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଏହି ଯୁବକମାନେ ପଛାଉ ନାହାନ୍ତି । ତେଣୁ ପୋଲିସ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ । ରାତିରେ କାର୍ଯ୍ୟ ସାରି ଫେରୁଥିବା ସମୟରେ ସାମ୍ବାଦିକଙ୍କୁ ମଧ୍ୟ ଏହି ଅପରାଧୀମାନେ ଟାର୍ଗେଟ୍ କରୁଥିବା ଏକାଧିକବାର ଦେଖାଯାଇଛି ।

Get real time updates directly on you device, subscribe now.