ରାଷ୍ଟ୍ରପତି ଭବନରେ ପଡ଼ିବ ଅଫିସରଙ୍କ ହାତଗଣ୍ଠି , ପ୍ରଥମ ଥର ଲାଗି ହେବାକୁ ଯାଉଛି ଏପରି ବିବାହ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଲେ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ । ରାଷ୍ଟ୍ରପତି ଭବନରେ ବାହା ହେବେ ଅଫିସର ।

ନୂଆଦିଲ୍ଲୀ: ମହିଳା ସିଆରପିଏଫ୍ ଅଫିସରଙ୍କ ବାହାଘର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଏସଓ ଭାବେ କାର୍ଯ୍ୟ କରୁଛନ୍ତି ।

ମହିଳା ଅଫିସର ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କୁ ୧୨ ତାରିଖରେ ବିବାହ କରିବାକୁ ଯାଉଛନ୍ତି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ଅଫିସିଆଲ ସୂଚନା ପ୍ରକାଶ ପାଇ ନାହିଁ ।

ପଡ଼ିବ ହାତଗଣ୍ଠି: ଏହି ମହିଳା ଅଫିସର ଜଣକ ହେଲେ ପୁନମ ଗୁପ୍ତା । ପୁନବ ଅଭନିଶ କୁମାରଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁହିଁଙ୍କ ବାହାଘରରେ ଉଭୟ ପକ୍ଷର ଅଳ୍ପକିଛି ବନ୍ଧୁ ଓ ପ୍ରିୟଜନ ସାମିଲ ହେବେ । ଯେଉଁମାନଙ୍କୁ ସ୍ୱତନ୍ତ୍ର ଏଣ୍ଟ୍ରି ଦିଆଯିବ ।

ରାଷ୍ଟ୍ରପତିଙ୍କ ଖାସ : ରାଷ୍ଟ୍ରପତି ପୁନମଙ୍କ କାର୍ଯ୍ୟରେ ଅତ୍ୟନ୍ତ ଖୁସି ଥିବା କାରଣରୁ ଏ ପ୍ରକାର ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ରାଷ୍ଟ୍ରପତି ଭବନରେ ଥିବା ମଦର ଟେରେସା କ୍ରାଉନ୍ କମ୍ପଲେକ୍ସରେ ବିବାହର ଆୟୋଜନ କରାଯିବ ।

ପୁନମ ଜଣେ ମେଧାବୀ ଛାତ୍ରୀ । ୨୦୧୮ ୟୁପିଏସସି ସିଏପିଫ୍ ପରୀକ୍ଷାରେ ୮୧ତମ ର୍ୟାଙ୍କ ରଖିଥିଲେ । ୨୦୨୪ରେ ପୁନମ ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ।